ତାମିଲନାଡୁରେ ବିଜୟଙ୍କ ସରକାର ଭାଙ୍ଗିବା ପାଇଁ ଚକ୍ରାନ୍ତ !

ତାମିଲନାଡୁରେ ନୂଆ ସରକାର ଗଠନ ହେଉ ହେଉ ପତନ ପାଇଁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ରାଜ୍ୟ ଗୁଇନ୍ଦା ବିଭାଗ ଏକ ବଡ଼ ରାଜନୈତିକ ଚକ୍ରାନ୍ତର ପର୍ଦ୍ଦାଫାଶ କରିଛି । ୧୫ ଜଣ ଟିଭିକେ ବିଧାୟକଙ୍କ ଇସ୍ତଫା ମଞ୍ଜୁର କରାଇ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ହୋଇଥିବା ରାଜ୍ୟ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ମାମଲାରେ ତନାଘନା ଆରମ୍ଭ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ତନାଘନା ପରେ ସ୍ପଷ୍ଟ ହୋଇଛି ଯେ ଏହି ଷଡ଼ଯନ୍ତ୍ର ପଛରେ ଡିଏମକେର ହାତ ଅଛି । କିଛି ବିଧାୟକଙ୍କୁ ଅନାସ୍ଥା ପ୍ରସ୍ତାବରେ ଭୋଟ ଦେବା ପାଇଁ ୩୫ କୋଟି ଟଙ୍କା ଲେଖାଏଁ ଯଚାଯାଇଥିବା ଅଭିଯୋଗ ହୋଇଛି। ଉଥଙ୍ଗରଇରୁ ଟିଭିକେ ବିଧାୟକ ଏନ୍.ଇଲୈୟାରାଜା ଚେନ୍ନାଇ ପୋଲିସରେ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ବିଧାୟକଙ୍କ ଅଭିଯୋଗ ଅନୁସାରେ, ଆଇପିଡିଏସ୍ ନାମକ ଏକ କଂସଲଟେନ୍ସି ଫାର୍ମର ଜଣେ ବ୍ୟକ୍ତି ତାଙ୍କୁ ବିଧାନସଭା ବାଚସ୍ପତି ଜେ.ସି.ଡି. ପ୍ରଭାକରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ୩୫ କୋଟି ଟଙ୍କାର ଲାଞ୍ଚ ଯାଚିଥିଲେ । ଏହା ସହିତ ମୁହଁ ବନ୍ଦ ରଖିବାକୁ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା । ଏହି ଖବର ଆସିବା ପରେ ତାମିଲନାଡୁ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି ।ଟିଭିକେ ସରକାରର ମନ୍ତ୍ରୀ ସି.ଟି. ନିର୍ମଳ କୁମାର ଡିଏମକେ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ‘କରୁର ଗ୍ୟାଙ୍ଗ’ର ଲୋକେ ଏହି ଚକ୍ରାନ୍ତରେ ସାମିଲ ଅଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ ଡିଏମକେ ନେତା ଏମ୍.କେ. ଷ୍ଟାଲିନ ଏବଂ ଉଦୟନିଧିଙ୍କ ନିର୍ଦ୍ଦେଶରେ ସେନ୍ଥିଲ ବାଲାଜୀ ବିଧାୟକମାନଙ୍କ ସହ ଯୋଗାଯୋଗ କରୁଛନ୍ତି । ସେମାନଙ୍କୁ ୧୦ କୋଟିରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ଦିଆଯାଉଛି । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଡିଏମକେ ଏବଂ ଏଆଇଏଡିଏମକେ ପ୍ରମୁଖ ପଲାନୀସ୍ୱାମୀ ମିଶି ବିଜୟଙ୍କ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ।