ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି, ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ

ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି ଯୋଗୁ ଏ ସମ୍ପର୍କରେ କମିଟି ଗଠନ କରି ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କମିଟି ଗଠନ କରାଯାଇଛି ।ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପ-ସଚିବ ସ୍ମିତା ପାଣି କମିଟିର ଅନ୍ୟ ଦୁଇ ସଦସ୍ୟ ଅଛନ୍ତି । ରିପୋର୍ଟ ଆସିବା ପରେ ଦାୟୀ ଅଧିକାରୀ ଓ ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଅନ୍ୟପଟେ ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି । ଏବର୍ଷ ଯେଉଁ ତ୍ରୁଟି ରହିଛି, ଶିକ୍ଷକମାନଙ୍କୁ ଜଣାଇ ଦିଆଯାଇଛି । ଶିକ୍ଷକମାନେ ଶ୍ରେଣୀ ଗୃହରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବେ । ଆଗାମୀ ବର୍ଷ ସଂଶୋଧିତ ବହି ପ୍ରକାଶ କରି ପିଲାଙ୍କୁ ଦିଆଯିବ । ଏହି ସୂଚନା ଦେଇଛନ୍ତି SCERT ନିର୍ଦ୍ଦେଶିକା । ଚଳିତ ବର୍ଷ ନୂଆ ବହି ଛପା ହେବନି , ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ ।