ବନ୍ୟା ପ୍ରଭାବିତଙ୍କ ପାଇଁ ୧୧୦ କୋଟି ଟଙ୍କାର ସହାୟତା

ଚଳିତ ବନ୍ୟା ପରିସ୍ଥିତିରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରାଜ୍ୟ ସରକାର ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି। ବନ୍ୟା ମୁକାବିଲା, ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ବନ୍ୟା କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ । ଏହା ପ୍ରାରମ୍ଭିକ ପର୍ଯ୍ୟାୟର ସହାୟତା ପ୍ୟାକେଜ୍। ତୁରନ୍ତ ଏହି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ରାସ୍ତା, ସେତୁ ଓ କ୍ଷତିଗ୍ରସ୍ତ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ପାଇଁ ଚୁଡାନ୍ତ ଆକଳନ ପରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀ ଓ ପରିବାରଙ୍କୁ ଗ୍ରାଚୁଇଟସ୍ ରିଲିଫ୍ (Gratuitous Relief) ଯୋଗାଇ ଦିଆଯିବ ଏବଂ ସ୍ୱାଭାବିକ ପରିସ୍ଥିତି ଫେରିବା ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବ। ଏହି ନିଷ୍ପତ୍ତି ଅନୁଯାୟୀ ଘରବାଡ଼ି କ୍ଷତିଗ୍ରସ୍ତ ପରିବାରମାନଙ୍କ ପାଇଁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ (SDRF) ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ୧.୨୦ ଲକ୍ଷ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪,୦୦୦ ଟଙ୍କା, ଭାଙ୍ଗିଯାଇଥିବା କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ଓ ଗୁହାଳ ଘର ପାଇଁ ୩,୦୦୦ ଟଙ୍କା ଦିଆଯିବ।ବନ୍ୟାଜନିତ ମୃତ୍ୟୁ ଘଟଣାରେ ୬ ଜଣ ମୃତକଙ୍କ ନିକଟମ ବ୍ୟକ୍ତିଙ୍କୁ SDRF ନିୟମାନୁଯାୟୀ ୨୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ୨୦ଟି ODRAF ଦଳ, ୭ଟି NDRF ଦଳ ଓ ୧୭୨ଟି ଅଗ୍ନିଶମ ଦଳ ନିରନ୍ତର କାର୍ଯ୍ୟରତ ଅଛନ୍ତି।