ବନ୍ୟା ପ୍ରଭାବିତ ୭ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଜୋରଦାର, ବନ୍ୟା ପରେ ସାପ କାମୁଡ଼ା ୯୬ ମାମଲା
କମିଛି ବନ୍ୟା ହେଲେ ବଢ଼ି ଯାଇଛି ଦୁର୍ଦ୍ଦଶା । ବନ୍ୟାରେ ୭ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ସେ ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବସନ୍ତ ପ୍ରଧାନ କହିଛନ୍ତି । ତେବେ ବନ୍ୟା ପରେ ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଛି । ସରକାରୀ ସୂଚନା ଅନୁଯାୟୀ, ବନ୍ୟା ସମୟରେ ଏପର୍ଯ୍ୟନ୍ତ ୯୬ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି । ତେବେ ସମୟୋପଯୋଗୀ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଯୋଗୁଁ କୌଣସି ମୃତ୍ୟୁ ଘଟିନାହିଁ, ଯାହା ଏକ ଆଶ୍ୱସ୍ତିର ବିଷୟ । ଏପର୍ଯ୍ୟନ୍ତ ୨୧,୩୩୪ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ୪୮୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୩୩୨ ଜଣଙ୍କର ପ୍ରସବ ସଫଳତାର ସହ ହୋଇଥିବା ବେଳେ ଏଥିରେ ମା’ କିମ୍ବା ନବଜାତ ଶିଶୁଙ୍କ ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି ଯେ, ବନ୍ୟା ପାଣିରେ ଚାଲିବା ବେଳେ ସତର୍କ ରୁହନ୍ତୁ, ରାତିରେ ଟର୍ଚ୍ଚ ବ୍ୟବହାର କରନ୍ତୁ, ଘର ଓ ଆଖପାଖକୁ ସଫା ରଖନ୍ତୁ ଏବଂ ସାପ କାମୁଡ଼ିଲେ କୌଣସି ଘରୋଇ ଚିକିତ୍ସା ନକରି ତୁରନ୍ତ ନିକଟସ୍ଥ ମେଡିକାଲକୁ ଯାଆନ୍ତୁ । ବନ୍ୟା ପାଣି କମୁଥିଲେ ମଧ୍ୟ ବିପଦ ଏବେ ସମ୍ପୂର୍ଣ୍ଣ ଟଳିନାହିଁ। ସାପ କାମୁଡ଼ା, ଡାଏରିଆ ଏବଂ ଜଳବାହିତ ରୋଗକୁ ନେଇ ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପୁଣିଥରେ ସାଧାରଣ ଲୋକଙ୍କୁ ଅପିଲ୍ କରିଛି ।