ବିଜୟଙ୍କୁ ରୋକିବାକୁ ହାତ ମିଳାଇ ପାରନ୍ତି DMK-AIADMK ?

ତାମିଲନାଡ଼ୁ ରାଜନୀତିକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ଥାଲାପତି ବିଜୟଙ୍କ ଦଳ ଟିଭିକେ ସରକାର ଗଢିବା ପାଇଁ ପ୍ରସ୍ତୁତି ଚଳାଇଥିଲେ ହେଁ ମ୍ୟାଜିକ ନମ୍ବର ଅଦ୍ୟାବଧି ଯୋଗାଡ଼ କରି ପାରି ନାହାନ୍ତି।ଆଜି ହୋଇପାରିବନି TVK ମୁଖ୍ୟ ଥଲାପତି ବିଜୟଙ୍କ ଶପଥ ଗ୍ରହଣ । କାରଣ ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ସରକାର ଗଠନ ପାଇଁ TVK ପାଖରେ ଆବଶ୍ୟକ ସଂଖ୍ୟା ଥିବା ବିଶ୍ୱାସକୁ ନେଇନାହାଁନ୍ତି।ଯଦିଓ TVKକୁ କଂଗ୍ରେସ ସମର୍ଥନ ପ୍ରତିଶ୍ରୁତି ଦେଇଛି ଏବଂ ଅନ୍ୟମାନେ ମଧ୍ୟ ଯୋଗ ଦେବେ ବୋଲି ଆଶା କରାଯାଉଛି। ଏବେବି ସଂଘର୍ଷ କରୁଛି ବିଜୟଙ୍କ TVK ଦଳ। ୧୦୮ଟି ସିଟରେ ଟିଭିକେ ଜିତିଥିବା ବେଳେ ସଂଖ୍ୟା ଗରିଷ୍ଠତା ପାଇଁ ୧୧୮ ଆବଶ୍ୟକ। ବିଜୟଙ୍କ ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ସମର୍ଥନ ପାଇବାକୁ ଆଉ ଗୋଟିଏ-ଦୁଇ ଦିନ ଲାଗିପାରେ।ଏପଟେ DMK-AIADMK ମେଣ୍ଟ ଚର୍ଚ୍ଚା ସ୍ଥିତିକୁ ଆହୁରୀ ଜଟିଳ କରିଛି । ବଢିଛି ଘୋଡ଼ା ବେପାର ଆଶଙ୍କା । AIADMK ତାର ୧୫ ବିଧାୟକଙ୍କୁ ପଡୋଶୀ ପୁଡୁଚେରୀର ଏକ ରିସୋର୍ଟକୁ ସ୍ଥାନାନ୍ତର କରିଛି । TVK ମଧ୍ୟ ତାର ବିଧାୟକମାନଙ୍କୁ ଏକାଠି ରହିବା ପାଇଁ ମାମାଲାପୁରମର ଏକ ରିସୋର୍ଟକୁ ସ୍ଥାନାନ୍ତର କରିଛି । ପରସ୍ପରର ଚିର ପ୍ରତିଦ୍ଵନ୍ଦ୍ଵୀ ଥିବା ଡିଏମକେ ଓ ଏଆଇଏଡିଏମକେ ଏକାଠି ଆସି ମେଣ୍ଟ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ୧୯୭୨ ମସିହାରେ DMK ରୁ ଅଲଗା ହୋଇ MGR ଏଆଇଏଡିଏମକେ ଗଢ଼ିବା ପରଠାରୁ ଏହି ଦୁଇ ଦଳ ମଧ୍ୟରେ ଘୋର ଶତ୍ରୁତା ରହିଆସିଛି। କିନ୍ତୁ ବିଜୟଙ୍କ ଉତ୍ଥାନ ଏବେ ଏହି ସମୀକରଣ ବଦଳାଇ ଦେଇଛି।