ମଝି ଆକାଶରେ ହଠାତ୍ ତଳକୁ ଖସିଲା ବିମାନ, ଛାତରେ ବାଜିଲା ଯାତ୍ରୀଙ୍କ ମୁଣ୍ଡ
ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ହଠାତ୍ ପ୍ରବଳ ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା। ଏହାଫଳରେ ବିମାନରେ ଥିବା ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଦଶ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ୟାବିନ କ୍ରୁ ସଦସ୍ୟ ଆହତ ହୋଇଛନ୍ତି ।ଏୟାର ଇଣ୍ଡିଆ ଘଟଣାର ନିଶ୍ଚିତ କରି କହିଛି ଯେ ସମସ୍ତ ଆହତଙ୍କୁ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଦିଲ୍ଲୀ ବିମାନବନ୍ଦର ପ୍ରଶାସନକୁ ପୂର୍ବରୁ ସତର୍କ କରାଯାଇଥିଲା, ଯାହା ଫଳରେ ବିମାନ ଅବତରଣ କରିବା ପୂର୍ବରୁ ଏକ ଡାକ୍ତରୀ ଦଳକୁ ପ୍ରସ୍ତୁତ ରଖାଯାଇଥିଲା। ଏୟାର ଇଣ୍ଡିଆ ଅନୁଯାୟୀ, ଏହି ଘଟଣା ଫୁକେତରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏଆଇ-୨୩୭୯ ବିମାନରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ,ପାଇଲଟ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ନିରାପଦରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଜାରି ରଖିଥିଲେ।ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ବିମାନଟି ଉଡ଼ାଣ ସମୟରେ ହଠାତ୍ ବହୁତ ତଳକୁ ଖସି ଆସିଥିଲା। ଏହାଫଳରେ ଅନେକ ଯାତ୍ରୀଙ୍କ ମୁଣ୍ଡ ସିଧା ବିମାନର ଛାତରେ ବାଜିଥିଲା। କେତେକଙ୍କ ମୁଣ୍ଡ ଫୁଲି ଯାଇଥିବା ବେଳେ ବିମାନଟି ସମ୍ପୂର୍ଣ୍ଣ ଯାତ୍ରୀରେ ପୂର୍ଣ୍ଣ ଥିଲା।