ଆଜି ଓଡ଼ିଆ ସାମ୍ବାଦିକତା ଦିବସ
ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି ।ଏହି ଦିନ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’। ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ମିଳିତ ସହଯୋଗରେ ଏକ ସାପ୍ତାହିକ ଖବର କାଗଜ ଭାବେ ଉତ୍କଳ ଦୀପିକା ମୁଦ୍ରିତ ହୋଇଥିଲା। ଆଉ ସେହିଦିନ ପଡ଼ିଥିଲା ଓଡ଼ିଆ ସମ୍ବାଦପତ୍ରର ମୂଳଦୁଆ ।ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ । ପ୍ରଥମେ ଏହା ସାପ୍ତାହିକ ଏବଂ ପରବର୍ତ୍ତୀ ସମୟରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା। ଗୌରୀଶଙ୍କର ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ କଟକ ପ୍ରିଣ୍ଟିଂ କମ୍ପାନୀରୁ ଏହି ଖବର କାଗଜ ପ୍ରକାଶ ପାଉଥିଲା। ଉତ୍କଳ ଦୀପିକା ତତ୍କାଳୀନ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବା ସହ ଓଡ଼ିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଜନମତ ସୃଷ୍ଟି କରିବାରେ ଉତ୍କଳ ଦୀପିକାର ଥିଲା ପ୍ରଧାନ ଭୂମିକା। ଉତ୍କଳ ଦୀପିକା ମାଧ୍ୟମରେ ହିଁ ଅନେକ ସମସ୍ୟାର ସମାଧାନ ହୋଇପାରିଛି। ଗଣମାଧ୍ୟମ କିଭଳି ଭାବେ ଦାୟିତ୍ୱ ନେଇ ସମାଜକୁ ସୁଧାରିପାରେ ତାହା ଉତ୍କଳ ଦୀପିକା ହିଁ ପ୍ରଥମେ ଶିଖାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ନାନା ସମସ୍ୟା ଯୋଗୁ ୧୯୩୬ ମସିହାରେ ଏହାର ପ୍ରକାଶନ ବନ୍ଦ ହୋଇଥିଲା। ଏଥିସହ ନିରବି ଯାଇଥିଲା ପ୍ରଥମ ଓଡ଼ିଶା ସମ୍ବାଦପତ୍ରର ସ୍ୱର।