ଭୁବନେଶ୍ୱର ମହିଳା ଥାନାରୁ ଅଭିଯୁକ୍ତ ଫେରାର୍ ଘଟଣା:୨ କର୍ମଚାରୀଙ୍କୁ ନିଲମ୍ବିତ
ଭୁବନେଶ୍ୱର ମହିଳା ଥାନାରୁ ଅଭିଯୁକ୍ତ ଫେରାର ଘଟଣାରେ ୨ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ସେଣ୍ଟ୍ରି ଓ ଡିସିଓଙ୍କୁ ନିଲମ୍ବିତ କଲେ ଭୁବନେଶ୍ୱର ଡିସିପି। ସୂଚନା ଅନୁଯାୟୀ, ଗତ ଜୁଲାଇ ୩୦ ତାରିଖରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଏରଡ଼ା ଗାଁର ରୁଦ୍ର ପ୍ରସାଦ ସୂତାର ନାମକ ଜଣେ ଯୁବକଙ୍କୁ ମହିଳା ଥାନା ପୋଲିସ ଗିରଫ କରିଥିଲା। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ପ୍ରତାରଣା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଗିରଫ ହେବାର ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୩୧ ତାରିଖ ସକାଳେ ତାଙ୍କୁ ଥାନା ଭିତରେ ଜଳଖିଆ ଦିଆଯାଉଥିଲା। ଏହି ସମୟରେ ଡିଉଟି ଚାର୍ଜ ଅଫିସର ଶୌଚାଳୟ ଯାଇଥିବା ବେଳେ ସୁଯୋଗ ଦେଖି ଅଭିଯୁକ୍ତ ଜଣକ ସେଣ୍ଟ୍ରିଙ୍କୁ ଠେଲିବା ସହ ଚାପୁଡ଼ା ମାରି ଥାନାରୁ ଫେରାର୍ ହୋଇଯାଇଥିଲେ।ଏନେଇ ମହିଳା ଥାନା ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରିଛି। ସେପଟେ କାର୍ଯ୍ୟରେ ଅବହେଳା ପାଇଁ ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପ୍ରାଥମିକ ତଦନ୍ତ ପରେ ମହିଳା ଥାନାର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।