ମଣିପୁରରେ ବଳବତ୍ତର ରହିଲା କଠୋର ଆଫସା ଆଇନ

କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରକୁ ଏକ ଅଶାନ୍ତ ଅଞ୍ଚଳ ଭାବରେ ଘୋଷଣା କରିଛି। ଏହା ସହ ମନ୍ତ୍ରଣାଳୟ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନ, ୧୯୫୮ (AFSPA) ଅନୁଯାୟୀ ଆଗାମୀ ୬ ମାସ ପାଇଁ ନାଗାଲ୍ୟାଣ୍ଡର ୯ଟି ସମ୍ପୂର୍ଣ୍ଣ ଜିଲ୍ଲା ଏବଂ ଅନ୍ୟ ୫ଟି ଜିଲ୍ଲାର ୨୧ଟି ପୋଲିସ ଷ୍ଟେସନ ଅଞ୍ଚଳକୁ ଅଶାନ୍ତ ଅଞ୍ଚଳ ଭାବରେ ଘୋଷଣା କରିଛି। ତଥାପି,ଗୃହ ମନ୍ତ୍ରଣାଳୟ ମଣିପୁରର ୧୩ଟି ପୋଲିସ ଷ୍ଟେସନ ଅଞ୍ଚଳକୁ ଅଶାନ୍ତ ଅଞ୍ଚଳ ତାଲିକାରେ ଅନ୍ତର୍ଭୁକ୍ତ କରିନାହିଁ। MHA ଆଜି (ଶୁକ୍ରବାର) ଏହି ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ମଧ୍ୟ ଜାରି କରିଛି, ଯାହା ୧ ଅକ୍ଟୋବର, ୨୦୨୬ ରୁ ପରବର୍ତ୍ତୀ ୬ ମାସ ପାଇଁ ଉଭୟ ରାଜ୍ୟରେ କାର୍ଯ୍ୟକାରୀ ହେବ, ଯଦି ଏହା ପୂର୍ବରୁ ବାତିଲ ନହୁଏ। ୧୩ଟି ଥାନାକୁ ଛାଡ଼ି ପାହାଡ଼ିଆ ଜିଲ୍ଲା ସମେତ ରାଜ୍ୟର ବାକି ସମସ୍ତ ଅଞ୍ଚଳରେ ସେନା ଓ କେନ୍ଦ୍ରୀୟ ସୁରକ୍ଷା ବଳକୁ ସ୍ୱତନ୍ତ୍ର କ୍ଷମତା ମିଳିବ । ମଣିପୁରରେ ଗତ କିଛି ବର୍ଷ ଧରି ଲାଗିରହିଥିବା ଜାତିଗତ ହିଂସା, ଉତ୍ତେଜନା ଏବଂ ବେଆଇନ ଅସ୍ତ୍ରଶସ୍ତ୍ରର ଚୋରାଚାଲାଣ କାରଣରୁ ସୁରକ୍ଷା ସ୍ଥିତି ଏବେ ମଧ୍ୟ ସମ୍ବେଦନଶୀଳ ରହିଛି । ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନଥିବାରୁ ସେନା ଓ ସୁରକ୍ଷା ବାହିନୀର ହାତକୁ ଶକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପୁଣିଥରେ ଏହି କଠୋର ଆଇନକୁ ବଳବତ୍ତର ରଖିଛନ୍ତି। ତେବେ ଶାନ୍ତି ପ୍ରତିଷ୍ଠା ଓ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ କଡ଼ା ପଇଁତରା ଜାରି ରହିଛି ।