ମହାପ୍ରଭୁଙ୍କ ନବଯୌବନ ଦର୍ଶନ କଲେ ଭକ୍ତ

ଗଣିଆ -(ବିଶ୍ୱରଂଜନ ସେଠି ) ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ । ଏଥିପାଇଁ ନୟାଗଡ଼ ଜିଲା ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଅଣସର ଘରେ ରହିଥିବା ମହାପ୍ରଭୁ ସଂପୁର୍ଣ୍ଣ ସୁସ୍ଥ ହେବାପରେ ଆଜି ସକାଳ ୮ଘଟିକା ସମୟରୁ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଠାକୁରଙ୍କ ଦର୍ଶନ କରିବା ପାଇଁ ମନ୍ଦିରରେ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଜିମିଛି । ଘଂଟ ମୃଦଙ୍ଗ ବାଜାରେ ଉତ୍ସବ ମୁଖର ହୋଇ ଉଠିଛି ଗଣିଆ ଅଂଚଳର ବିଭିନ୍ନ ଜଗନ୍ନାଥ ମନ୍ଦିର । ଭୋର ୪ଘଂଟା ୩୦ ମିରୁ ନୀତିକାନ୍ତି ଆରମ୍ଭ ହୋଇଥିବାବେଳେ ମଙ୍ଗଳ ଆଳତୀ ପରେ ମଇଲମ ଓ ଅବକାଶ ନୀତି ହୋଇଥିଲା । ଅଣସର ଘରେ ପୁଜା ପାଉଥିବା ପଟିଦିଁଅଙ୍କ ବାହୁଡ଼ା ବିଜେ ହେବାପରେ ଅଣସର ଘର ତାଟି ଫିଟିବାର ଥିଲା । ପରେ ମହାପ୍ରଭୁ ନବ ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏଥିପାଇଁ ଗଣିଆ ବ୍ଳକର ବିଭିନ୍ନ ଜଗନ୍ନାଥ ମନ୍ଦିର କମିଟି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏବଂ ସମସ୍ତ ମନ୍ଦିର ରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।