ମହାସମାରୋହରେ ପାଳିତ ହେଉଛି ରଜ ପର୍ବର ଶେଷ ଦିନ
ଗଣପର୍ବ ରଜ, ସାରା ରାଜ୍ୟରେ ମହା ଆଡ଼ମ୍ବରରେ ପାଳନ ହେଉଛି । ଆଜି ହେଉଛି ରଜ ପର୍ବର ତୃତୀୟ ଦିନ ବା ଶେଷ ରଜ । ପ୍ରଥମ ଦିନ ପହଲି ରଜ, ତା’ ପରଦିନ ରଜ ସଂକ୍ରାନ୍ତି ଥିଲା । ରାଜ୍ୟସାରା ଜମୁଛି ଦୋଳି ଖେଳ ।ରଜ ପର୍ବର ପ୍ରମୁଖ ଆକର୍ଷଣ ହେଉଛି ଦୋଳି ଖେଳ ଏବଂ ପିଠାପଣା । କୁମାରୀମାନେ ନୂଆ ବସ୍ତ୍ର ପରିଧାନ କରି ସଜବାଜ ହେବା ସହ ପାଦରେ ଅଳତା ଲଗାଇ ରଜ ଦୋଳିର ମଜା ଉଠାଉଛନ୍ତି । ଏହାସହ ଘରେ ଘରେ ସୁଆଦିଆ ପୋଡ଼ ପିଠା, ମଣ୍ଡା ଏବଂ ବିଶେଷ ଭାବେ ପ୍ରସ୍ତୁତ ରଜ ପାନର ଆସର ଜମିଛି । ସାଙ୍ଗସାଥୀ ଓ ଆତ୍ମୀୟସ୍ୱଜନଙ୍କ ମିଳନରେ ଏହି ପର୍ବର ଆନନ୍ଦ ଦ୍ୱିଗୁଣିତ ହୋଇଛି ।ଦିନ ପରିବର୍ତ୍ତେ ରାତିରେ ଧୁମ୍ ଧାମ ର ସହ ଗାଁରେ ପାଳନ ହେଉଛି ରଜ ମଉଜ ।ରଜ ପର୍ବର ତୃତୀୟ ଦିନକୁ ‘ଭୂମି ଦହନ’ ବା ‘ବାସି ରଜ’ କୁହାଯାଏ । ଏହା ପରେ ଚତୁର୍ଥ ଦିନରେ ବସୁମତୀ ସ୍ନାନ ଅନୁଷ୍ଠିତ ହୋଇଥାଏ, ଯାହାକି ଧରିତ୍ରୀ ମାତାଙ୍କର ଶୁଦ୍ଧି ସ୍ନାନକୁ ବୁଝାଏ । ଏହି ସମୟରେ ଚାଷ କାମ ସମ୍ପୂର୍ଣ୍ଣ ବନ୍ଦ ରହିଥାଏ, ଯାହାଦ୍ୱାରା ମାଟି ମା’କୁ ବିଶ୍ରାମ ମିଳିପାରିବ । ସାମାଜିକ ସଦ୍ଭାବନା, ନାରୀତ୍ୱର ସମ୍ମାନ ଏବଂ ପ୍ରକୃତି ସହ ମଣିଷର ନିବିଡ଼ ସମ୍ପର୍କର ପ୍ରତୀକ ଭାବେ ରଜ ପର୍ବକୁ ଅତି ନିଷ୍ଠାର ସହ ପାଳନ କରାଯାଏ । ଏହି ଶେଷ ମୁହୂର୍ତ୍ତଗୁଡ଼ିକୁ ସମସ୍ତେ ସ୍ମରଣୀୟ କରିବା ପାଇଁ ଆନନ୍ଦ ଉଲ୍ଲାସର ସହ ସମୟ ବିତାଉଛନ୍ତି ।