UPI ବ୍ୟବହାର କରୁଛନ୍ତି ତେବେ ଦେବାକୁ ପଡ଼ିପାରେ ଚାର୍ଜ!
ଯଦି ଆପଣ UPI ବ୍ୟବହାର କରୁଛନ୍ତି ତେବେ ଏହା ସହିତ ଜଡିତ ନିୟମରେ ସରକାର ଶୀଘ୍ର ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ UPI ପୂର୍ବ ପରି ମାଗଣା ରହିଛି । ଗତ କିଛି ବର୍ଷ ମଧ୍ୟରେ UPIର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏବେ ପ୍ରତି ମାସରେ କୋଟି କୋଟି କାରବାର ହେଉଛି । କେବଳ ଜୁଲାଇ ମାସରେ UPI ମାଧ୍ୟମରେ ୨୩ ବିଲିୟନରୁ ଅଧିକ କାରବାର ପ୍ରକ୍ରିୟାକରଣ କରାଯାଇଥିଲା । ଯାହାର ମୋଟ ପରିମାଣ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ଥିଲା। ଏତେ ବଡ଼ ବ୍ୟବସ୍ଥାକୁ ଚଲାଇବା ପାଇଁ ବ୍ୟାଙ୍କ୍, ପେମେଣ୍ଟ କମ୍ପାନୀ ଏବଂ ଅନ୍ୟ ଇନଷ୍ଟିଚ୍ୟୁସନର ଖର୍ଚ୍ଚ ବୃଦ୍ଧି ପାଉଛି । ୨୦୨୦ ମସିହାରେ MDRହଟାଇବା ପରେ ସରକାର ଏହି ଇନଷ୍ଟଚ୍ୟୁସନଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ତଥାପି, ଏକ ସଂସଦୀୟ କମିଟି କହିଛି ଯେ, ଏହି ପରିମାଣ ପ୍ରକୃତ ଖର୍ଚ୍ଚ ତୁଳନାରେ ଯଥେଷ୍ଟ କମ୍ । ତେଣୁ ଭବିଷ୍ୟତରେ ଆବଶ୍ୟକ ହେଲେ ସରକାର ଏକ ନୂତନ ପ୍ରକ୍ରିୟା କାର୍ଯ୍ୟକାରୀ କରିବାର ବିକଳ୍ପ ବଜାୟ ରଖିବାକୁ ଚାହାଁନ୍ତି ।MDR ହେଉଛି ଏକ ଚାର୍ଜ । ଯାହା ସାଧାରଣତଃ ବ୍ୟବସାୟୀମାନେ ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀଙ୍କୁ ଡିଜିଟାଲ ପେମେଣ୍ଟ ଗ୍ରହଣ କରିବାକୁ ପ୍ରଦାନ କରନ୍ତି । ବ୍ୟବସାୟୀମାନେ ଏହି ଖର୍ଚ୍ଚ ନିଜେ ଭରଣ କରିବାକୁ କିମ୍ବା ସାମଗ୍ରୀର ମୂଲ୍ୟରେ ଏହାକୁ ସାମିଲ କରିପାରିବେ । ଯାହା ସମ୍ପର୍ଣ୍ଣ ଭାବେ ସେମାନଙ୍କ ବାଣିଜ୍ୟିକ ନିଷ୍ପତ୍ତି । ସରକାର ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ୍ (PSS) ଆଇନ ୨୦୦୭ ରେ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି । ବର୍ତ୍ତମାନ, ଏହି ଆଇନ ଅନୁଯାୟୀ, UPI ଏବଂ RuPay ଡେବିଟ୍ କାର୍ଡ ଭଳି କିଛି ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଉପରେ ଚାର୍ଜ ଲାଗୁ କରାଯାଇପାରିବ ନାହିଁ । ପ୍ରସ୍ତାବିତ ସଂଶୋଧନ ସହିତ ଏହି ନିଷ୍ପତ୍ତି ସିଧାସଳଖ ଆଇନରେ ସାମିଲ କରାଯିବ ନାହିଁ । ବରଂ ଆବଶ୍ୟକ ହେଲେ କେଉଁ ଡିଜିଟାଲ୍ ପେମେଣ୍ଟ ପଦ୍ଧତି ମାଗଣା ରହିବ ଏବଂ କେଉଁଗୁଡ଼ିକ MDR ଅଧୀନରେ ଆସିପାରେ ତାହା ନିର୍ଣ୍ଣୟ କରିଯିବ । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ଚାର୍ଜ ଲାଗୁ କରାଯାଇନାହିଁ । ଭବିଷ୍ୟତ ପାଇଁ କେବଳ ଆଇନଗତ ବିକଳ୍ପ ପ୍ରସ୍ତୁତ କରାଯାଉଛି ।