ଗଣିଆ ବ୍ଲକ ୩ ପରୀକ୍ଷା କେନ୍ଦ୍ରରେ ୪୨୦ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା।ପ୍ରଥମ ଦିନରେ ୫ ଛାତ୍ରଛାତ୍ରୀ ଅନୁପସ୍ଥିତ

ଗଣିଆ (ବିଶ୍ୱରଂଜନ ସେଠି), ମାଧମିକ ଶିକ୍ଷା ପରିଷଦ ତରଫରୁ ଗୁରୁବାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଗଣିଆ ବ୍ଲକର ୩ଟି ପରୀକ୍ଷା କେନ୍ଦ୍ରରେ ୪୨୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି । ତେବେ ୩ଟି ଯାକ ପରୀକ୍ଷା କେନ୍ଦ୍ରରେ ସମସ୍ତ ପରୀକ୍ଷାର୍ଥୀ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଦେଇଥିଲେ । ବ୍ଲକର ଗଣିଆସ୍ଥିତ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୩୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ଗୁରୁବାର ପରୀକ୍ଷାର ପ୍ରଥମ ଦିବସରେ ୧୩୬ଜଣ ପରୀକ୍ଷାର୍ଥୀ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ ୩ଜଣ ଅନୁପସ୍ଥିତ ଥିଲେ । ଅନ୍ୟ ଏକ ପରୀକ୍ଷାକେନ୍ଦ୍ର ଆଡକଟାସ୍ଥିତ ପଦ୍ମନାଭ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେବା ପାଇଁ ୧୭୩ଜଣ ଆବେଦନ କରିଥିବା ବେଳେ ୧୭୨ଜଣ ପରୀକ୍ଷାଦେଇଥିଲେ ୧ଜଣ ଅନୁପସ୍ଥିତ ଥିଲେ । ସେହିପରି ଚଳିତ ବର୍ଷ ରାସଙ୍ଗସ୍ଥିତ ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ୧୧୩ଜଣ ଆବେଦନ କରିଥିବା ବେଳେ ୧୧୨ଜଣ ପରୀକ୍ଷା ଦେଇଥିଲେ ଓ ୧ଜଣ ଅନୁପସ୍ଥିତ ଥିବା ଜଣାପଡିଛି । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସି କ୍ୟାମେରା ସହ କଡା ସୁରକ୍ଷା ବଳୟ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାସ୍ତରୀୟ ପରୀକ୍ଷା କେନ୍ଦ୍ର ପରିଦର୍ଶକ ଭାବେ ଗଣିଆ ଜିଲ୍ଲା ଶିକ୍ଷା ଅଧିକାରୀ ଚିତରଂଜନ ପାଣ୍ଡେ ଓ ସାଇନ୍ସ ସୁପରଭାଇଜର ଶରତ କୁମାର ସାହୁ ବ୍ଲକର ୩ଟିଯାକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା, ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ଅତିରିକ୍ତ ଶିକ୍ଷା ଅଧିକାରୀ ନିରୁପମା ମହାପାତ୍ର ଓ ପଦ୍ମନାଭ ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ବେହେରା ପରୀକ୍ଷା ସୁପରିଟେଣ୍ଡଂଟ ଦାୟିତ୍ୱ ତୁଲାଇଥିଲେ । ୩ଗୋଟି ପରୀକ୍ଷା କେନ୍ଦ୍ରରେ କୌଣସି ପ୍ରକାର ଅସୁବିଧା ନଘଟିବାପାଇଁ ଗଣିଆ ପୋଳିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ, ଏଏସଆଇ ସାହା ଆଲାମ ଖାଁ ସୁଚନା ଦେଇଛନ୍ତି ।