ରାତି ୮ଟା ୩୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ୩୦ ମିନିଟରେ ଦେଶକୁ ସମ୍ବୋଧନ କରିବେ । ସୁତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ମହିଳା ସଂରକ୍ଷଣ ବିଲ୍ ଉପରେ କହିବା ଆଶା କରାଯାଉଛି ।ତେବେ ପ୍ରଧାନମନ୍ତ୍ରୀ କେଉଁ ବିଷୟ ଉପରେ ଦେଶକୁ ସମ୍ବୋଧିତ କରିବେ ସେ ବିଷୟରେ ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ବିବରଣୀ ପ୍ରଦାନ କରିନାହାଁନ୍ତି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଶନିବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ମହିଳା ସଂରକ୍ଷଣ ବିଲ୍ ସମର୍ଥନ ନ କରି “ଦୋଷୀ” ଏବଂ ମହିଳା ବିରୋଧୀ କାମ କରୁଥିବା ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଏହି ମତକୁ ଏକ ଭୁଲ ବୋଲି କହିଛନ୍ତି ଏବଂ ଭବିଷ୍ୟତରେ ସେମାନେ ଏହାର ରାଜନୈତିକ ମୂଲ୍ୟ ଦେବାକୁ ଚେତାବନୀ ଦେଇଛନ୍ତି । ସୂତ୍ର ଅନୁଯାୟୀ, ସେ ଗୁରୁତ୍ୱାରୋପ କରିଛନ୍ତି ଯେ ମହିଳାଙ୍କ ପ୍ରତି ବିରୋଧୀଙ୍କ ନକାରାତ୍ମକ ମନୋଭାବ ରହିଛି ବୋଲି ବାର୍ତ୍ତା ଦେଶର ପ୍ରତ୍ୟେକ ଗାଁକୁ ପହଞ୍ଚାଇବା ଉଚିତ । ସୂଚନାମୁତାବକ ମହିଳା ସଂରକ୍ଷଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ (୧୩୧ ତମ) ବିଲ୍ ଶୁକ୍ରବାର ଲୋକସଭାରେ ଫେଲ୍ ହୋଇଥିଲା । ସରକାର ଏହାକୁ ପାସ୍ କରାଇବା ଲାଗି ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ପାଇବାରେ ବିଫଳ ହୋଇଥିଲେ । ବିଲ୍ ସପକ୍ଷରେ ୨୯୮ ଭୋଟ ପଡ଼ିଥିଲା ବେଳେ ବିପକ୍ଷରେ ୨୩୦ ଭୋଟ ପଡ଼ିଥିଲା । ବିଲ୍‌ରେ ଲୋକସଭା ସଦସ୍ୟ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବାର ପ୍ରାବଧାନ ରହିଥିଲା । ଦୀର୍ଘ ୧୨ ବର୍ଷ ଭିତରେ ପ୍ରଥମଥର ପାଇଁ କେନ୍ଦ୍ରର ମୋଦି ସରକାର ସଂସଦରେ କୌଣସି ବିଲ୍ ଗୃହୀତ କରାଇବାରେ ବିଫଳ ହୋଇଛନ୍ତି । ୧୨ ବର୍ଷର ଏନଡିଏ ସରକାରରେ ଏହା ପ୍ରଥମ ଘଟଣା । ବିଲ୍ ପାସ୍ ହୋଇଥିଲେ ଲୋକସଭା ସଦସ୍ୟ ସଂଖ୍ୟା ୮୫୦କୁ ବଢ଼ିଥାନ୍ତା । ଅନ୍ୟ ଦୁଇଟି ବିଲ୍ ବି ପ୍ରତ୍ୟାହାର କରିଛନ୍ତି ସରକାର । ବିରୋଧୀ ଏହାକୁ ବିଜୟ ବୋଲି କହୁଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏହାକୁ ସମାଲୋଚନା କରିଛନ୍ତି ।