ବିଜୟ ମାଲ୍ୟା କେବେ ଭାରତ ଫେରିବେ, ତାହା କହିହେବନି

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଠକେଇ ଓ ମନି ଲଣ୍ଡରିଂର ବହୁ ମାମଲାରେ କେସ୍ ଚାଲିଛି। ବିଜୟ ମାଲ୍ୟା ଠକେଇ ଏବଂ ମନି ଲଣ୍ଡରିଂ ମାମଲା ସାମ୍ନା କରୁଛନ୍ତି। ଏହି ମାମଲାରେ, ତାଙ୍କ ଓକିଲ ବମ୍ବେ ହାଇକୋର୍ଟକୁ କହିଛନ୍ତି, ବିଜୟ ମାଲ୍ୟା କେବେ ଭାରତ ଫେରିବେ, ତାହା କହିହେବନି। ମାଲ୍ୟାଙ୍କ ଓକିଲ, ବରିଷ୍ଠ ଓକିଲ ଅମିତ ଦେଶାଇ, କୋର୍ଟରେ ଏକ ବିବୃତ୍ତି ପାଠ କରିଥିଲେ। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ , ତାଙ୍କୁ ଇଂଲଣ୍ଡ ଏବଂ ୱେଲ୍ସ ଛାଡିବାକୁ କିମ୍ବା କୌଣସି ଆନ୍ତର୍ଜାତୀୟ ଯାତ୍ରା ଡକ୍ୟୁମେଣ୍ଟ ପାଇଁ ଆବେଦନ କରିବାକୁ ଅନୁମତି ନାହିଁ। ଯେକୌଣସି ପରିସ୍ଥିତିରେ, ଆବେଦନକାରୀ ଭାରତ ଫେରିବା ପାଇଁ ଏକ ସଠିକ୍ ସମୟସୀମା ପ୍ରଦାନ କରିପାରିବେ ନାହିଁ। ଦେଶାଇ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଏଫଇଓ ଆଇନର କ୍ଷମତାକୁ ଚ୍ୟାଲେଞ୍ଜ କରି କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବା ପାଇଁ ମାଲ୍ୟାଙ୍କୁ ଦେଶରେ ରହିବାର ଆବଶ୍ୟକତା ନାହିଁ।ଉଲ୍ଲେଖନୀୟ ଯେ, ୨୦୧୬ ରୁ ୟୁକେରେ ରହୁଥିବା ମାଲ୍ୟା ହାଇକୋର୍ଟରେ ୨ଟି ପିଟିସନ୍ ଫାଇଲ କରିଛନ୍ତି। ଗୋଟିଏରେ ତାଙ୍କୁ ଆର୍ଥିକ ଅପରାଧୀ ଘୋଷିତ କରିବାର ଅର୍ଡରକୁ ଚ୍ୟାଲେଞ୍ଜ କରିଛନ୍ତି। ଦ୍ବିତୀୟ ଆବେଦନରେ ପଳାତକ ଆର୍ଥିକ ଅପରାଧୀ ଆକ୍ଟର ଭାଲିଡିଟି ଉପରେ ପ୍ରଶ୍ନ ଉଠାଯାଇଛି। ମାଲ୍ୟାଙ୍କ ଉପରେ ହଜାର ହଜାର କୋଟି ଟଙ୍କାର ଲୋନ୍ ରିପେମେଣ୍ଟରେ ଡିଫଲ୍ଟ କରିବା ଓ ମନି ଲଣ୍ଡରିଂ ଚାର୍ଜର ସାମନା କରିବାର ଅଭିଯୋଗ ରହିଛି।