ଅଦିନିଆ ରଥଯାତ୍ରା ନେଇ ପିଏମ୍‌ଙ୍କୁ ଭେଟିବ ସ୍ବତନ୍ତ୍ର ଟିମ୍

ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଗଜପତି ମହରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଛତିଶା ନିଯୋଗ ଏବଂ ନୀତି ସବ୍ କମିଟି ବୈଠକରେ ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ନେଇ ପରିଚାଳନା କମିଟିକୁ ଅବଗତ କରାଯାଇଛି । ଆଗକୁ ସ୍ନାନଯାତ୍ରା ଓ ଘୋଷଯାତ୍ରା ଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରଖାଯିବ  ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ ।ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି । ଇସ୍କନ ଏବଂ ଅନ୍ୟ ସଂସ୍ଥା ଅଦିନିଆ ରଥଯାତ୍ରା ଓ ଯାନି ଯାତ୍ରା ଆୟୋଜନ ଉଚିତ ନୁହେଁ । ଏହାକୁ ନେଇ ପରିଚାଳନା କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କୁ ଜଣାଇବା ପରେ କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବ । ଅଦିନିଆ ରଥଯାତ୍ରା ଓ ଯାନିଯାତ୍ରା ବନ୍ଦ କରିବା ପାଇଁ ନିଳାଦ୍ରୀ ବିଜେ ପରେ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ।ସେହିପରି ଜମିଜମା ସମସ୍ୟା ନେଇ ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ନିୟମ ପ୍ରଣୟନ ପାଇଁ ଅନୁରୋଧ କରିଛି। ନରେନ୍ଦ୍ର ପୁଷ୍କରିଣୀରେ ସ୍ଥାୟୀ ଭାବେ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ସ୍ଥାପନ ହେବ।