ଆଜି ବସୁମାତା ସ୍ନାନ
ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ। ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ। ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି। ମାର୍ଗଶୀର ଶେଷ ଗୁରୁବାର ଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ। ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ। ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ। ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇ ପାରିଥାଆନ୍ତି।
ଅନ୍ୟପଟେ ମଙ୍ଗଳବାର ଥିଲା ଶେଷ ରଜ । ଏହି ଅବସରରେ ବିଭିନ୍ନ ରଜ ମହୋତ୍ସବରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ରାଜ୍ୟ ସଂଗ୍ରହାଳୟରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଚାଲିଥିବା ମହୋତ୍ସବରେ ଆଜି ଯବନିକା ପଡ଼ିଛି । ପର୍ଯ୍ୟଟକମାନେ ଅପରାହ୍ଣରେ ସଂଗ୍ରହାଳୟକୁ ଆସି ଦୋଳି ଖେଳିଥିଲେ । ସେହିପରି ଓଟିଡିସି ପକ୍ଷରୁ ଆୟୋଜିତ ରଜ ମହୋତ୍ସବରେ ପାରମ୍ପରିକ ଖାଦ୍ୟ, ଲୋକକଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । “ପିଠା ଅନ୍ ହ୍ୱିଲ୍’ ମାଧ୍ୟମରେ ବିଭିନ୍ନ ଦେଶୀ ପିଠାର ପସରା ଲୋକଙ୍କୁ ଆକର୍ଷିତ କରିଛି ।