ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ

କ୍ରୀଡା ଜଗତକୁ କଭର କରୁଥିବା ବୃତ୍ତିଗତମାନଙ୍କୁ ସମ୍ମାନିତ କରିବା ଏବଂ 1924 ମସିହାରେ ଆନ୍ତର୍ଜାତୀୟ କ୍ରୀଡା ପ୍ରେସ୍ ସଂଘ (AIPS) ପ୍ରତିଷ୍ଠାକୁ ସ୍ୱୀକୃତି ଦେବା ପାଇଁ 2 ଜୁଲାଇରେ ବିଶ୍ୱ କ୍ରୀଡା ସାମ୍ବାଦିକ ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଏ।କ୍ରୀଡ଼ା ସାମ୍ବାଦିକ କେବଳ ସ୍କୋର ଲେଖନ୍ତି ନାହିଁ; ସେମାନେ ଲେଖନ୍ତି ମଣିଷର ସ୍ୱପ୍ନ, ସଂଘର୍ଷ, ଧୈର୍ଯ୍ୟ ଓ ଜିଦ୍‌ର ମହାକାବ୍ୟ। କୌଣସି ଖେଳାଳି ଯେତେବେଳେ ପଦକ ଜିତନ୍ତି, ଆମେ ତାଙ୍କ ହସକୁ ଦେଖୁ। କିନ୍ତୁ ସେହି ହସ ପଛରେ ଥିବା ଅସଂଖ୍ୟ ଲୁହ, ପରିଶ୍ରମ, ଅପମାନ, ବିଫଳତା ଓ ପୁନର୍ଜନ୍ମର କାହାଣୀକୁ ସମାଜ ଆଗରେ ଆଣିଥାଏ କ୍ରୀଡ଼ା ସାମ୍ବାଦିକତା। ଡିଜିଟାଲ୍‌ ଯୁଗରେ ପ୍ରତି ସେକେଣ୍ଡରେ ଖବର ବଦଳୁଛି। ଏହି ଦୌଡ଼ରେ ସତ୍ୟକୁ ଯାଞ୍ଚ କରିବା, ଗୁଜବ ତଥା ଉଡ଼ା କଥାକୁ ଏଡାଇବା, କାମଳ ସାମ୍ବାଦିକତା ପରିବର୍ତ୍ତେ ସଠିକ୍‌ ବିଶ୍ଳେଷଣ ଦେବା—ଏହା ଆଜିର ସବୁଠାରୁ ବଡ଼ ଆହ୍ୱାନ। ଅନେକ ସମୟରେ ଗ୍ଲାମର ଓ ଟିଆରପିର ଭିଡ଼ରେ ଗ୍ରାମୀଣ କ୍ରୀଡ଼ା, ପାରା ସ୍ପୋର୍ଟ୍ସ, ମହିଳା କ୍ରୀଡ଼ା କିମ୍ବା ଆଦିବାସୀ ଅଞ୍ଚଳର ପ୍ରତିଭା ଆଲୋକରୁ ଦୂରେ ରହିଯାଏ। ଏଠାରେ କ୍ରୀଡ଼ା ସାମ୍ବାଦିକଙ୍କ ଦାୟିତ୍ୱ ଆହୁରି ବଢ଼ିଯାଏ, କାରଣ ତାଙ୍କ କଲମ ନିଷ୍ପତ୍ତି କରେ କିଏ ଦୃଶ୍ୟମାନ ହେବେ ଓ କିଏ ଅଦୃଶ୍ୟ ରହିଯିବେ।