ଆଧାର କେବଳ ପରିଚୟ ପ୍ରମାଣ ଭାବରେ ବ୍ୟବହାର କରାଯିବ: ସୁପ୍ରିମକୋର୍ଟ

ଆଧାର କାର୍ଡ ବ୍ୟବହାର ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନୋଟିସ ଜାରି କରାଯାଇଛି । ଆବେଦନରେ ଅନୁରୋଧ କରାଯାଇଥିଲା ଯେ ଆଧାରକୁ କେବଳ ପରିଚୟପତ୍ର ଭାବରେ ବ୍ୟବହାର କରାଯାଉ । ନାଗରିକତା, ବାସସ୍ଥାନ, ଠିକଣା କିମ୍ବା ଜନ୍ମ ତାରିଖର ପ୍ରମାଣ ଭାବରେ ନୁହେଁ ।ଆବେଦନକାରୀ ଅଶ୍ୱିନୀ କୁମାର ଉପାଧ୍ୟାୟ ଦର୍ଶାଇଥିଲେ ଯେ ବିଭିନ୍ନ ପ୍ରଶାସନିକ ଏବଂ ନିର୍ବାଚନ ପ୍ରକ୍ରିୟାରେ ଆଧାରକୁ ଆଇନଗତ ପରିସର ବାହାରେ ବ୍ୟବହାର କରାଯାଉଛି । ନୂଆ ଭୋଟର ପଞ୍ଜୀକରଣ ପାଇଁ ଫର୍ମ -୬ରେ ଜନ୍ମ ତାରିଖ ଏବଂ ବାସସ୍ଥାନର ପ୍ରମାଣ ଭାବରେ ଆଧାରକୁ ଗ୍ରହଣ କରାଯିବା ଉପରେ ମଧ୍ୟ ସେ ଆପତ୍ତି କରିଥିଲେ । ଆବେଦବ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି ।ଏହା ଯୁକ୍ତି ଦର୍ଶାଇଛି ଯେ ଏପରି ବ୍ୟବହାର ଆଧାର ଆଇନ, ୟୁଆଇଡିଏଆଇ ସୂଚନା ଅଧିକାର ଆଇନ ଏବଂ ଲୋକ ପ୍ରତିନିଧିତ୍ୱ ଆଇନର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ଆବେଦନକାରୀ ଅଶ୍ୱିନୀ କୁମାର ଉପାଧ୍ୟାୟ କେନ୍ଦ୍ର ସରକାର, ରାଜ୍ୟ ଏବଂ ଭାରତୀୟ ନିର୍ବାଚନ କମିସନ(ଇସିଆଇ)ଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ଯେ ଆଧାରକୁ କଠୋର ଭାବରେ ପରିଚୟ ପ୍ରମାଣ ଭାବରେ ବ୍ୟବହାର କରାଯାଉ। ଆଧାର ଆଇନ ଏବଂ ୟୁଆଇଡିଏଆଇ ନିର୍ଦ୍ଦେଶାବଳୀ ଦ୍ୱାରା ନିଷିଦ୍ଧ ଉଦ୍ଦେଶ୍ୟ ପାଇଁ ନୁହେଁ।