ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା; କାର୍ଡ ଧାରୀଙ୍କୁ ଅତିରିକ୍ତ ୫ କେଜି ଚାଉଳ
ଓଡିଶାରେ ବିଜେପି ସରକାରକୁ ଆଜି ଦୁଇ ବର୍ଷ ପୂରିଛି । ଏହି ଅବସରରେ ଆରମ୍ଭ ହୋଇଛି ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ । ଚଳିତ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରୁଥିବା ବେଳେ ଗତ ଏପ୍ରିଲ ୫ରେ ଅନୁଷ୍ଠିତ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଥିଲା । ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ରେ ପ୍ରତି ରାସନ କାର୍ଡ ଧାରୀଙ୍କୁ ମିଳିବ ଆଉ ୫ କେଜି ଚାଉଳ । ପୂର୍ବରୁ ପାଞ୍ଚ କେଜି ଚାଉଳ ମିଳୁଥିବା ବେଳେ, ଏବେ ପ୍ରତି ହିତାଧିକାରୀଙ୍କୁ ଦଶ କେଜି ଲେଖାଏଁ ଚାଉଳ ମିଳିବ। ୧ କୋଟି ୯୬ ହଜାର ୨୯୭ ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ସଦସ୍ୟ ଏହା ଦ୍ୱାରା ଉପକୃତ ହେବେ । ଯୋଜନା ବାବଦରେ ବାର୍ଷିକ ୮,୮୧୩ କୋଟି ଟଙ୍କା ଖର୍ଚ୍ଚ ହେବ ।ରାଜ୍ୟର ଖାଉଟିଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଏହି ନୂତନ ଯୋଜନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଟାରଗେଟେଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଅଧିନସ୍ଥ ସମସ୍ତ ହିତାଧିକାରୀ ପରିବାର ମାସିକ ନିୟମିତ ଧାର୍ଯ୍ୟ ଚାଉଳ କୋଟା ବ୍ୟତୀତ ମୁଣ୍ଡ ପିଛା ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ମାଗଣାରେ ବଣ୍ଟନ କରାଯିବ ।