ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି: ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍
ନିଟ୍-ୟୁଜି ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସିର ଖବର। ଶୁକ୍ରବାର ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି। ଏ ନେଇ ବଡ ଘୋଷଣା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)।ନିଟ୍ ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ । ପିଲାଙ୍କୁ ୧୮୦ ମିନିଟ୍ ବଦଳରେ ୧୯୫ ମିନିଟ୍ ମିଳିବ ।ଆସନ୍ତା ୨୧ ତାରିଖରେ ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ଯାଏଁ ଚାଲିବ ।ପୁନଃ ପରୀକ୍ଷାର ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅନେକ ନୂଆ ପଦକ୍ଷେପ ନେଇଛନ୍ତି।ଏହି କ୍ରମରେ ପରୀକ୍ଷା ଲାଗି ପ୍ରଶ୍ନପତ୍ର ତିଆରି କରିଥିବା ବିଭିନ୍ନ ବିଷୟ ବିଶେଷଜ୍ଞ, ଶିକ୍ଷକ, ଅନୁବାଦକ ଓ ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧ (ଆଇସୋଲେସନ)ରେ ରଖାଯାଇଛି।ଏହି କର୍ମଚାରୀମାନଙ୍କୁ ପରିବାର ଓ ଅନ୍ୟ କାହା ସହିତ ମିଶିବାକୁ ସୁଯୋଗ ଦିଆଯାଉ ନାହିଁ। ଏପରି କି ସେମାନଙ୍କୁ ମୋବାଇଲ, ଇଣ୍ଟରନେଟ୍ ଓ ଅନ୍ୟ ଯୋଗାଯୋଗ ଉପକରଣ ସବୁ ବାରଣ କରାଯାଇଛି। କର୍ମଚାରୀମାନେ ରହୁଥିବା ଘରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜୁନ୍ ୨୧ ତାରିଖ ଅର୍ଥାତ୍ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଏପରି ଆଇସୋଲେସନ ବା ଲକ୍ଡାଉନ କରି ରଖାଯିବ। ଅନ୍ୟପଟେ ପ୍ରଶ୍ନପତ୍ରକୁ ପରିବହନ ପାଇଁ ବାୟୁସେନାର ହେଲିକପ୍ଟର ମୁତୟନ କରାଯାଇଛି। ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ଦେଶବ୍ୟାପୀ ୫ଲକ୍ଷ ସୁରକ୍ଷାକର୍ମୀ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି।NTA ନିଜର ନୋଟିଫିକେସନରେ କହିଛି ଯେ, ଏହି ପରିବର୍ତ୍ତନଗୁଡ଼ିକ ପରୀକ୍ଷାକୁ ଅଧିକ ସୁଗମ ସହିତ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ହୋଇଛି ।