ସରକାରଙ୍କ ବଡ଼ ନିଷ୍ପତ୍ତି,ଏମାନଙ୍କୁ ପେଟ୍ରୋଲ ପମ୍ପରୁ ମିଳିବନି ତେଲ
ଦେଶରେ ଇନ୍ଧନ ବିକ୍ରୟ ଏବଂ ବଣ୍ଟନ ସମ୍ପର୍କରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଖୁଚୁରା ଦୋକାନରେ ମୋଟର ସ୍ପିରିଟ୍ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ବିକ୍ରୟ ଉପରେ ନୂତନ କଟକଣା ଲାଗୁ କରାଯାଇଛି । କୌଣସି ଯାନ କିମ୍ବା ଗ୍ରାହକ ଗୋଟିଏ ଦିନରେ ପେଟ୍ରୋଲ ପମ୍ପରୁ ୨୦୦ ଲିଟରରୁ ଅଧିକ ହାଇ-ସ୍ପିଡ୍ ଡିଜେଲ କିଣିପାରିବେ ନାହିଁ । ଏହା ସହିତ, ବାଣିଜ୍ୟିକ ଏବଂ ସଂସ୍ଥାଗତ ଗ୍ରାହକମାନଙ୍କୁ ଖୁଚୁରା ପେଟ୍ରୋଲ ପମ୍ପରୁ ସିଧାସଳଖ ଇନ୍ଧନ କିଣିବା ପାଇଁ ବାରଣ କରାଯାଇଛି । ଏହି ବ୍ୟବସ୍ଥା ପ୍ରାରମ୍ଭିକ ଭାବରେ ଆଗାମୀ ୯୦ ଦିନ ପାଇଁ କାର୍ଯ୍ୟକାରୀ ହେବ ।। ଏହାର ପ୍ରାଥମିକ ପ୍ରଭାବ ଭାରୀ ଟ୍ରକ୍ କିମ୍ବା ଜେନେରେଟର ପାଇଁ ବଡ଼ ଡ୍ରମ୍ରେ ଡିଜେଲ୍ ପରିବହନ କରୁଥିବା ଲୋକଙ୍କ ଉପରେ ପଡ଼ିବ। ଏହା ସହିତ, ଏହି କ୍ରୟ କରାଯାଇଥିବା ହାଇ-ସ୍ପିଡ୍ ଡିଜେଲର ପୁନଃବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।ଏହି ପଦକ୍ଷେପ ସିଧାସଳଖ ଭାବେ ମଧ୍ୟବିତ୍ତ ପରିବାର ଏବଂ କୃଷକମାନଙ୍କୁ ସହାୟତା କରିବ । ଧାର୍ଯ୍ୟ ସମୟରେ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣର ଡିଜେଲ ଓ ପେଟ୍ରୋଲ ଉପଲବ୍ଧ ରହିବ, ଯାହାଦ୍ୱାରା ପରିବହନ ଏବଂ କୃଷି କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ ।
ବିଶ୍ୱ ରାଜନୀତିରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ଭାରତର ଏହି ନିଷ୍ପତ୍ତି ଦର୍ଶାଉଛି ଯେ, ଦେଶର ‘ଶକ୍ତି ନିରାପତ୍ତା’ ବା Energy Security ସରକାରଙ୍କ ପାଇଁ ସର୍ବୋପରି । ଶିଳ୍ପାନୁଷ୍ଠାନଗୁଡ଼ିକ ବର୍ତ୍ତମାନ ବଜାର ଦରରେ ତୈଳ କମ୍ପାନୀଙ୍କ ଠାରୁ ସିଧାସଳଖ କ୍ରୟ କରିବେ, ଯାହାଦ୍ୱାରା ତୈଳ ବିପଣନ କମ୍ପାନୀଗୁଡ଼ିକର କ୍ଷତି ମଧ୍ୟ କମିବ ।