ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର, ଇରାନ ଉପରେ ଆକ୍ରମଣ କରିବନି ଆମେରିକା
ଟ୍ରମ୍ପଙ୍କ ବଡ଼ ଘୋଷଣା । ଇରାନ ଯୁଦ୍ଧର ହେବ ଅନ୍ତ। ଚଳିତ ସପ୍ତାହରେ ୟୁରୋପରେ ସ୍ବାକ୍ଷରିତ ହେବ ‘ଐତିହାସିକ ଚୁକ୍ତି’ । ଇରାନ ସହ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆମେରିକା ବଡ଼ ସଫଳତା ହାସଲ କରିଛି । ଇରାନର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ସାମରିକ ଆକ୍ରମଣ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ କହିଛନ୍ତି ଚୁକ୍ତିନାମା ଉପରେ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ସହମତି ହୋଇଛି। ଖୁବଶୀଘ୍ର ଏହା ଉପରେ ସାଇନ୍ ହେବ। ଏପଟେ ଟ୍ରମ୍ପଙ୍କ ଦାବିକୁ ଖାରଜ କରିଦେଇଛି ତେହରାନ। ଇରାନ କହିଛି ଚୁକ୍ତି ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ରିପୋର୍ଟକୁ କେବଳ ଅନୁମାନ ବୋଲି କହିଛି ଇରାନ୍।ଟ୍ରମ୍ପ ଏ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଉପସାଗରୀୟ ଦେଶର ନେତାଙ୍କ ସହ ସକାରାତ୍ମକ ଆଲୋଚନା କରିଛନ୍ତି । ଯାହା ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପାଇଁ ବାଟ ଫିଟାଇବ। ଟ୍ରମ୍ପଙ୍କ ବଡ଼ ଘୋଷଣା ପରେ ବିଶ୍ବ ବଜାରରେ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ଅଶୋଧିତ ତୈଳ (Crude Oil) ଯୋଗାଣ ସ୍ବାଭାବିକ ହେବା ଆଶାରେ ଆନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ପାଇଛି । ଟ୍ରମ୍ପ ଚୁକ୍ତିକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଆନ୍ତର୍ଜାତୀୟ ସମୀକ୍ଷକଙ୍କ ମତର ପୂର୍ବରୁ ମଧ୍ୟ ଅନେକ ଆଲୋଚନା ଶେଷ ମୁହୂର୍ତ୍ତରେ ବିଫଳ ହୋଇଛି । ତେଣୁ ସମ୍ପୂର୍ଣ୍ଣ ସ୍ବାକ୍ଷର ନହେବା ପର୍ଯ୍ୟନ୍ତ କିଛି କହିବା ଠିକ ହେବନି । ଯଦି ସବୁକିଛି ଯୋଜନା ମୁତାବକ ଚାଲେ ତେବେ ଏହି ଚୁକ୍ତି ବିଶ୍ବ ଅର୍ଥନୀତି ଓ ମଧ୍ୟପ୍ରାଚ୍ୟର ଭୂ-ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିବ ।