ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ । ଏହା ତାଙ୍କର ଦ୍ବିତୀୟ ଓଡ଼ିଶା ଗସ୍ତ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ । ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ଭିଭିଆଇପିଙ୍କ ଏହି ଗସ୍ତକୁ ନେଇ ରାଜ୍ୟ ସରକାର ଏବଂ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜାତୀୟ ବ୍ଲୁ-ଇକୋନୋମି ଏବଂ ମତ୍ସ୍ୟ କ୍ଷେତ୍ରର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କର ଏହି ଗସ୍ତ । ବିମାନବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ଏବଂ ରାଜଭବନ ପର୍ଯ୍ୟନ୍ତ ଉପରାଷ୍ଟ୍ରପତିଙ୍କ ଗାଡ଼ିର ସୁରକ୍ଷିତ ଯାତାୟାତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର କାରକେଡ୍ ମକ୍ ଡ୍ରିଲ୍ ଶେଷ ହୋଇଛି । ଗସ୍ତ ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରିତ ରଖିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରାଷ୍ଟ୍ରପତିଙ୍କ ରହଣି, ସ୍ୱାଗତ ସମ୍ବର୍ଦ୍ଧନା ଏବଂ ପ୍ରୋଟୋକଲ୍ ବ୍ୟବସ୍ଥାର ଚୂଡ଼ାନ୍ତ ସମୀକ୍ଷା କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଭୁବନେଶ୍ୱରରେ ଆସନ୍ତାକାଲି ହେବ ଜାତୀୟ ବ୍ଲୁ-ଇକୋନୋମି ମହାସମାବେଶ । ଗଭୀର ସମୁଦ୍ରରେ ମତ୍ସ୍ୟଚାଷର ‘ଅନୁମତି ପତ୍ର’ ଓ ଓଡ଼ିଶା ମିଶନର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି । ଓଡ଼ିଶାର ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ର ଏବଂ ଦେଶର ବ୍ଲୁ-ଇକୋନୋମି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆସନ୍ତାକାଲି, ଭୁବନେଶ୍ୱରରେ ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ପକ୍ଷରୁ ଏକ ବୃହତ୍ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ‘ଅନୁମତି ପତ୍ର’ର ଶୁଭାରମ୍ଭ କରିବେ।ଭିଭିଆଇପିଙ୍କ ଗମନାଗମନକୁ ସୁଗମ କରିବା ତଥା କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ୍ ପୁଲିସ ସମ୍ପୂର୍ଣ୍ଣ ସଜାଗ ରହିଛି । ସାଧାରଣ ଲୋକେ ଯେପରି ଗମନାଗମନ ସମୟରେ ଅଯଥା ହଇରାଣ ନହୁଅନ୍ତି, ସେଥିପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଟ୍ରାଫିକ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଜରୁରୀକାଳୀନ ସେବା ଯୋଗାଉଥିବା ଯାନବାହନ, ଯେପରିକି ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।