ସାଇବର ଠକେଇର ଶୀଘ୍ର ପଞ୍ଜୀକରଣ-ତଦନ୍ତ ପାଇଁ ‘ଇ-ଜିରୋ FIR’ ବ୍ୟବସ୍ଥା

ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଆଜି ‘ଇ-ଜିରୋ ଏଫ୍ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଥିଲେ। ଏହି ବ୍ୟବସ୍ଥାରେ ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ (SCRB) ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦କୁ CCTNS(Crime and Criminal Tracking Network & Systems) ସହ ସମନ୍ୱୟ କରିଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ ୧୯୩୦ରେ ପଞ୍ଜୀକୃତ ହେଲେ, CCTNSରେ ସ୍ୱୟଂଚାଳିତ ଭାବେ e-Zero FIR ଅନୁରୋଧ ସୃଷ୍ଟି ହେବ ଏବଂ ତାହା ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନ୍‌କୁ ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ଷ୍ଟେସନ୍ ନିୟମିତ ଏଫ୍‌ଆଇଆର୍ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିପାରିବ। ପ୍ରୟୋଜନ ଅନୁଯାୟୀ ମାମଲାକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର, ଜିରୋ ଏଫ୍‌ଆଇଆର୍ ଭାବେ ପଞ୍ଜୀକରଣ, ପୂର୍ବରୁ ଥିବା ମାମଲା ସହ ସଂଯୋଗ କିମ୍ବା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନ କରୁଥିବା ଅଭିଯୋଗକୁ ବନ୍ଦ କରାଯାଇପାରିବ ବୋଲି ଡିଜି କହିଛନ୍ତି ।ଏହି ଅବସରରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଥିଲେ, “ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରି ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୋଲିସ ସେବା ପ୍ରଦାନ କରିବାକୁ ଓଡ଼ିଶା ପୋଲିସ ପ୍ରତିବଦ୍ଧ। ସେ ସାଧାରଣ ଲୋକଙ୍କୁ ଅନୁରୋଧ କରିଥିଲେ ଯେ, ସାଇବର ଆର୍ଥିକ ଠକେଇର ଶିକାର ହେଲେ ବିଳମ୍ବ ନ କରି ତୁରନ୍ତ ୧୯୩୦ରେ ଅଭିଯୋଗ କରନ୍ତୁ। ଶୀଘ୍ର ଅଭିଯୋଗ କଲେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବଢ଼ିବ।