ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ ଲିଷ୍ଟ

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନାମଲେଖା ପାଇଁ ପ୍ରଥମ କଟ୍-ଅଫ୍ ମାର୍କ ପ୍ରକାଶ କରାଯାଇଛି । ଚଳିତବର୍ଷ ମଧ୍ୟ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସର୍ବାଧିକ କଟ୍-ଅଫ୍ ସହ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି । ରେଭେନ୍ସାର କଳା ବିଭାଗରେ ୮୧ ପ୍ରତିଶତ, ବିଜ୍ଞାନ ବିଭାଗରେ ୯୩.୪୦ ପ୍ରତିଶତ ଏବଂ ବାଣିଜ୍ୟ ବିଭାଗରେ ୮୨.୪୦ ପ୍ରତିଶତ କଟ୍-ଅଫ୍ ରହିଛି । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ଇ-ନାମଲେଖାର ପ୍ରଥମ ପର୍ଯ୍ୟାୟ ରେ ମୋଟ ୪,୬୧,୩୨୫ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୯୩.୦୪ ପ୍ରତିଶତ ଅର୍ଥାତ୍ ୪,୨୯,୨୧୯ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ମନୋନୀତ ଶିକ୍ଷାର୍ଥୀଙ୍କ ମଧ୍ୟରେ କଳାରେ ୨,୭୬,୯୨୫, ବିଜ୍ଞାନରେ ୧,୨୧,୪୯୪, ବାଣିଜ୍ୟରେ ୧୯,୮୪୪, ଉପଶାସ୍ତ୍ରୀରେ ୬,୧୩୪, ଧନ୍ଦାମୂଳକ ଶିକ୍ଷାରେ ୪,୮୨୨ ଜଣ ରହିଛନ୍ତି।

ଆସନ୍ତା ଜୁଲାଇ ୨୩ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବା ଜଣାପଡ଼ିଛି ।ନିର୍ଦ୍ଧାରିତ ସମୟ ମଧ୍ୟରେ ଚୟନ ହୋଇଥିବା ପ୍ରାର୍ଥୀମାନେ ଆବଶ୍ୟକ କାଗଜପତ୍ର ସହ ନାମଲେଖା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି ।