୨ ଲକ୍ଷ ଟଙ୍କା ଲା଼ଞ୍ଚ ନେଉଥିଲେ ଖଣି ଉପ ନିର୍ଦ୍ଦେଶକ : ମାଡ଼ି ବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଜୟପୁର ସମେତ କଟକର ୨ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।ରିପୋର୍ଟ ଅନୁସାରେ, ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ ଏକ ବାଲି ଲିଜ୍ ଅବଧି ବୃଦ୍ଧି ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସକୁ ଜଣାଇ ଦେଇଥିଲେ । ତେବେ ସେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଏହା ପରେ ରାତି ଅଧିଆ ଜୟପୁର ସମେତ ରାୟଗଡା, କଟକର ବିଦ୍ୟାଧରପୁର ଓ ମାହାଙ୍ଗାର ଓଳକଣା ଘରେ ଏକକାଳୀନ ଚଢାଉ ହୋଇଛି ।ରାୟଗଡ଼ା ସ୍ଥିତ ବାସଭବନରେ ଚଢ଼ାଉ ସମୟରେ ଭିଜିଲାନ୍ସ ହାତରେ ଲାଗିଛି ଅତିରିକ୍ତ ୨.୯ ଲକ୍ଷ ନଗଦ ଟଙ୍କା । ଏପର୍ଯ୍ୟନ୍ତ ମୋଟ୍ ୪.୯ ଲକ୍ଷ ଟଙ୍କା ଜବତ କରାଯାଇଛି। ବ୍ୟାଙ୍କ ଆକାଉଣ୍ଟ, ଜମି କାଗଜପତ୍ର ଏବଂ ଅନ୍ୟାନ୍ୟ ସମ୍ପତ୍ତିର ଯାଞ୍ଚ କରାଯାଉଥିବା ବେଳେ ଆଗକୁ ଜବତ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି ।ପୂର୍ବରୁ ମଧ୍ୟ ଟଙ୍କା ନେଇ ବେଆଇନ ବାଲି ଚାଲାଣ ପାଇଁ ଅନୁମତି ଦେବା ପରି ସାଂଘାତିକ ଅଭିଯୋଗ ତାଙ୍କ ନାଁରେ ରହିଛି।