ଆସନ୍ତା କାଲି ଖୋଲିବ ହୀରାକୁଦର ୪ ଗେଟ୍ , ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ

ଆସନ୍ତା କାଲି ନିଷ୍କାସିତ ହେବ ହୀରାକୁଦରୁ ପ୍ରଥମ ବନ୍ୟା ଜଳ । ଏ ନେଇ ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।ତାଙ୍କ ସୂଚନା ଅନୁଯାୟୀ, ଦିନ ୧୧ଟାରେ ହୀରାକୁଦର ୪ଟି ଗେଟ୍ ଖୋଲାଯିବ ।ବର୍ତ୍ତମାନ ବନ୍ଧର ଜଳସ୍ତର ୬୧୧.୨୩ ଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ ପ୍ରାୟ ୨ ଲକ୍ଷ ୬୨ ହଜାର କ୍ୟୁସେକ୍ ପାଣି ବନ୍ଧକୁ ପ୍ରବେଶ କରୁଛି । ଜଳପ୍ରବାହର ପରିସ୍ଥିତି ଅନୁଯାୟୀ ସନ୍ଧ୍ୟା ସୁଦ୍ଧା ଆହୁରି କିଛି ଗେଟ୍ ଖୋଲାଯାଇ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ପାଣି ନିଷ୍କାସନ କରାଯିବ ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି । ଏପଟେ ମୁଣ୍ଡଳୀରେ ଜଳପ୍ରବାହ ଧୀରେ ଧୀରେ କମୁଛି। ଗତକାଲି ରାତିରେ ଯେଉଁଠାରେ ୫ ଲକ୍ଷ ୫୪ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା, ବର୍ତ୍ତମାନ ତାହା କମି ୪ ଲକ୍ଷ ୮୦ ହଜାର କ୍ୟୁସେକରେ ପହଞ୍ଚିଛି ।ସେପଟେ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସମ୍ବଲପୁର ହୀରାକୁଦରେ ବସିଛି ବଡ଼ ବୈଠକ । କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ଫ୍ଲଡ୍ କ୍ରାଇସେସ୍ ମ୍ୟାନେଜମେଣ୍ଟ ଟିମ୍‌ର ବୈଠକ ଚାଲିଛି । ବୈଠକରେ ଓଡ଼ିଶା ଓ ଛତିଶଗଡ ସରକାରଙ୍କ ବରିଷ୍ଠ ଯନ୍ତ୍ରୀ ଯୋଗ ଦେଇଛନ୍ତି । ମୌସୁମୀ ବେଳେ ବନ୍ଧର ପରିଚାଳନା କିପରି ଠିକ୍ ଭାବେ କରାଯିବ ସେ ନେଇ ଆଲୋଚନା ହେଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।