ଆସନ୍ତାକାଲି ଓଡ଼ିଶା ବନ୍ଦ : ଲୋକସେବା ଭବନରେ ସୁରକ୍ଷା କଡାକଡି
ଇଣ୍ଡିଆ ମେଣ୍ଟ ପକ୍ଷରୁ ଗୁରୁବାର୧୨ ଘଣ୍ଟିଆ ଓଡ଼ିଶା ବନ୍ଦଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ବରେ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦେଶ ଦିଆଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଏବଂ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତିକୁ ନେଇ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ସ୍ୱତନ୍ତ୍ର SOP ଜାରି କରାଯାଇଛି। ଲୋକସେବା ଭବନ ସମେତ ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ଏବଂ ପ୍ରମୁଖ ବିଭାଗୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ ।ବନ୍ଦକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ କୃଷି ଭବନରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।ସକାଳ ୧୦ଟା ୧୫ ମିନିଟ୍ରେ ଲୋକସେବା ଭବନର ସମ୍ମୁଖ ଗେଟ୍ ବନ୍ଦ କରାଯିବ । ଏହାପରେ କେବଳ ପଛ ଗେଟ୍ ଦେଇ ନିୟନ୍ତ୍ରିତ ଭାବେ ପ୍ରବେଶ ଅନୁମତି ରହିବ । ସେହିପରି ରେଡ୍ ବିଲ୍ଡିଂ ଓ ମୁଖ୍ୟ ଲୋକସେବା ଭବନ ମଧ୍ୟରେ ଥିବା ସଂଯୋଗୀକରଣ ଗେଟ୍ ଖୋଲା ରହିବ। ତେବେ ପ୍ରବେଶ ସମୟରେ ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରାଯିବ।