ଉତମ ଛାତ୍ରଛାତ୍ରୀ ଗଠନରେ ଶିକ୍ଷକଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ
ଗଣିଆ,(ବିଶ୍ୱରଂଜନ ସେଠି ) ଗଣିଆ ବ୍ଳକ ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାରଦିନ କାର୍ଯ୍ୟରତ ରାଜନୀତି ବିଜ୍ଞାନର ଅଧ୍ୟାପକ ପ୍ରଫୁଲ କୁମାର ସାହୁ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ବିଦାୟୀ ଅଧ୍ୟାପକ ୦୧/୦୭/୧୯୯୨ରୁ ୧୯୯୬ ମସିହା ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ସେ ଜଣେ ଛାତ୍ର ବତ୍ସଳ, ସମୟାନୁବର୍ତିତା ବ୍ୟକ୍ତିଭାବେ ବେଶ ଜଣାଶୁଣା ଥିଲେ । ସମସ୍ତ ଅଧ୍ୟପକ ଓ କର୍ମଚାରୀମାନେ ଅବସରକାଳୀନ ପେନସନ ନଥିବାରୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା ।

ସେହିପରି ସରକାରୀ ଉ.ପ୍ରା. ବିଦ୍ୟାଳୟ, ବେଲପଡ଼ାର ସହକାରୀ ଶିକ୍ଷୟତ୍ରୀ ଜ୍ୟୋଷ୍ଣାରାଣୀ ପଟନାୟକ ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଶୁଭ୍ରମ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମଣ୍ଡଳ ସାଧନ ସଂଯୋଜକ ବିନୋଦିନୀ ପଣ୍ଡା, ସମ୍ମାନିତ ଅତିଥିଭାବେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଶୋଭନ କୁମାର ପଣ୍ଡା, ଶିକ୍ଷକ ସୁରେଶ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫୁଲ କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ । ବିଦାୟୀ ଶିକ୍ଷୟତ୍ରୀଙ୍କୁ ଫୁଲତୋଡ଼ା, ଉତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀ ଓ ଅତିଥିମାନେ ବିଦାୟୀ ଶିକ୍ଷୟତ୍ରୀଙ୍କ ସଂପର୍କରେ ଗୁଣଗାନ କରିବା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନର ସ୍ନେହୀ, ଛାତ୍ରବତ୍ସଳ ସମୟାନୁବର୍ତିତା ଶିକ୍ଷକ ଥିଲେ ବୋଲି ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭ୍ରମ କୁମାର ସାହୁ ମଂଚାସୀନ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ, ସିଆରସିସି ରାଧାମୋହନ ନାୟକ ସଭା ପରିଚାଳନା କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।