ଏଣିକି ଡାକ୍ତରୀ ପ୍ରେସକ୍ରିପ୍ସନ ନଥିଲେ କଫସିରପ୍ ମନା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା

କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ କରି, କେନ୍ଦ୍ର ସରକାର ସିରପର ଓଭର-ଦି-କାଉଣ୍ଟର (OTC) ବିକ୍ରୟକୁ ନିଷେଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।କେନ୍ଦ୍ର ସରକାର ଜୁନ ୯, ୨୦୨୬ ରେ ଜାରି ଏକ ବିଜ୍ଞପ୍ତି ମାଧ୍ୟମରେ ଔଷଧ (ପଞ୍ଚମ ସଂଶୋଧନ) ନିୟମ, ୨୦୨୬ କାର୍ଯ୍ୟକାରୀ କରିଥିଲେ। ଏହି ସଂଶୋଧନ ଔଷଧ ଏବଂ ପ୍ରସାଧନ ଆଇନ, ୧୯୪୦ ର ଧାରା ୧୨ ଏବଂ ୩୩ ଅନୁଯାୟୀ କରାଯାଇଥିଲା ଏବଂ ସରକାରୀ ଗେଜେଟରେ ପ୍ରକାଶନ ପରେ କାର୍ଯ୍ୟକାରୀ ହୋଇଥିଲା।ସରକାର ଔଷଧ ନିୟମ, ୧୯୪୫ ର ସୂଚୀ K ରେ ତାଲିକାଭୁକ୍ତ ଔଷଧ ବର୍ଗରୁ ‘ସିରପ’ ଶବ୍ଦକୁ ହଟାଇ ଦେଇଛନ୍ତି। ଫଳରେ, ସିରପ ଆଉ ଓଭର-ଦି-କାଉଣ୍ଟର ଔଷଧ ବର୍ଗରେ ଆସିବ ନାହିଁ, ଏବଂ ସେମାନଙ୍କର ବିକ୍ରୟ କଠୋର ନିୟାମକ ନିୟନ୍ତ୍ରଣ ଅଧୀନରେ ରହିବ।

ଗତ ବର୍ଷ ଅକ୍ଟୋବରରେ, ମଧ୍ୟପ୍ରଦେଶର ଛିନ୍ଦୱାଡା ଏବଂ ରାଜସ୍ଥାନରେ କଫସିରପ୍ ଜନିତ ମୃତ୍ୟୁ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଔଷଧ ଖାଇବା ପରେ ଅନେକ ପିଲାଙ୍କ କିଡନୀ ଫେଲ ହୋଇ ମୃତ୍ୟୁମୁଖରେ ପଡିଥିଲେ। ପରୀକ୍ଷଣରେ ସିରପରେ ଡାୟଥିଲିନ୍ ଗ୍ଲାଇକଲ୍ (DEG) ମାତ୍ରା ୪୮%ରୁ ଅଧିକ ଥିବା ଜଣାପଡ଼ିଥିଲା। ଏହାପରେ DGHS ପିଲାମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ କଫସିରପର ବ୍ୟବହାର ଉପରେ ସତର୍କତା ଜାରି କରିଥିଲା। କେନ୍ଦ୍ର ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।