ଓଡ଼ିଶାକୁ ଦୁର୍ବଳ କରିବାକୁ ଭୟଙ୍କର ଚକ୍ରାନ୍ତ ଚାଲିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା
ଏମଏମଡିଆର ସଂଶୋଧିତ ବିଲକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ବିଲ୍ ସଂସଦରେ ପାରିତ ହୋଇଛି । ଏହା ଓଡ଼ିଶାର ଅର୍ଥନୀତିକୁ ବିପଦକୁ ଠେଲିଛି । ଆଗକୁ ଓଡ଼ିଶା କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ବାଧ୍ୟ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ତେବେ ଓଡ଼ିଶା ମାଟି ଓ ଖଣି ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିବେ ବୋଲି ଘୋଷଣା କରିଛନ୍ତି ନବୀନ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି । ଲଢ଼େଇରେ ସାମିଲ ହେବାକୁ ନବୀନ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ।2000 ମସିହାରେ ଓଡ଼ିଶା ଶାସନ ଦାୟିତ୍ୱ ବିଜେଡି ନେଲା ବେଳେ ରାଜ୍ୟର ଅର୍ଥନୀତି ବହୁତ ଖରାପ ଅବସ୍ଥାରେ ଥିଲା । ନବୀନ ସରକାରଙ୍କୁ ଅତିରିକ୍ତ ଟଙ୍କା ଉଠାଣ ଉପରେ ନିର୍ଭର କରିବାକୁ ପଡୁଥିଲା । 2024 ମସିହାରେ ସରକାର ପରିବର୍ତ୍ତନ ବେଳେ 50 ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ବିଜେଡି ଛାଡିଥିଲା । ବିଜେଡି ସରକାରର ସୁଦୃଢ ଆର୍ଥିକ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇ ପାରିଥିଲା । ରାଜସ୍ୱ ବଳକା ରାଜ୍ୟ ସହ ତ୍ୱରିତ ପ୍ରଗତି ବିଜେଡି ସରକାର ଆଣିଥିଲେ । ରାଜ୍ୟରେ ଗରିବୀ କମିଥିଲା । ଭିତ୍ତିଭୂମିର ବିକାଶ ହୋଇଥିଲା । ଅନେକ ଜନ କଲ୍ୟାଣ କାମ ବିଜେଡି କରିଥିଲା । ଏହି ଦ୍ରୁତ ବିକାଶରେ ଖଣିଜ ରାଜସ୍ୱ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।ନବୀନ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ଓଡିଶାର ଅର୍ଥନୀତି ବିପଦରେ ପଡିଛି । ନିକଟରେ କେନ୍ଦ୍ର ସରକାର ପାର୍ଲିଆମେଣ୍ଟରେ Mines and minerals Development and Regulation Act ର ସଂଶୋଧନ ବିଲ ପାସ ହୋଇଛି । ଏହା ଓଡ଼ିଶା ଓ ଓଡ଼ିଶାବାସୀଙ୍କର ବହୁତ କ୍ଷତି କରିବାକୁ ଯାଉଛି । ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ବିଲ କିନ୍ତୁ ବିନା ଆଲୋଚନାରେ କେନ୍ଦ୍ର ସରକାର ପାରିତ କରିଦେଲେ । ରାଜ୍ୟସଭାରେ କେବଳ ବିଜେଡି ସାଂସଦ ଏହାକୁ ବିରୋଧ କରିଥିଲେ । ଏହି ବିଲକୁ ବିରୋଧ କରି ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ସର୍ବଦଳୀୟ ବୈଠକ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛି । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହେଁ । ପାର୍ଟି ନୁହେଁ ମାଟିର ସ୍ୱାର୍ଥ ପାଇଁ ଆମକୁ ଆଜି ଏକାଠି ହେବାକୁ ପଡିବ ।”
ନବୀନଙ୍କୁ କଡ଼ା ଜବାବ ଦେଇ ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ଗଣତନ୍ତ୍ର ରାଷ୍ଟ୍ରରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ଲୋକଙ୍କୁ ଭ୍ରମିତ କରିବାର ଅଧିକାର କାହାର ନାହିଁ। ୨୦୦୪ ରେ ରାଜ୍ୟମାନେ ମିନେରାଲ ଟିକସ ଲଗାଇବା ପାଇଁ ଆବେଦନ କରିଥିଲେ। ୨୦୧୪ ରେ ଏହା ସଂଶୋଧନ ହେଲା। ୨୦୧୫-୧୬ରେ ରାଜ୍ୟର ଖଣି ରାଜସ୍ବ 18 ହଜାର କୋଟିରେ ପହଞ୍ଚିଲା। ମୋଦିଙ୍କ ଯୋଗୁ ଖଣିଜ, ଲଘୁ ଖଣିଜ ଏବଂ ଡିଏମଏଫକୁ ମିଶାଇଲେ ଓଡ଼ିଶା ୫୭ ହଜାର କୋଟି ପାଉଛି। ଓଏମସି ସର୍ବକାଳୀନ ରେକର୍ଡ କରିଛି। ଆମେ ସରକାରକୁ ଆସିବାପରେ ୩୦ଟି ଖଣିର ନିଲାମ କରିଛୁ। ବିଶ୍ୱ ବଜାରରେ ଚାହିଦା ନଥିବା ବେଳେ ବି ଆମେ ଲାଭ କରିଥିଲୁ। କେବଳ ରାଜନୀତି କରିବା ପାଇଁ ନବୀନ ବାବୁ ଅଭିଯୋଗ କରୁଛନ୍ତି।