ରଣକ୍ଷେତ୍ର ପାଲଟିଲା ଲୋୟର PMG: ପୋଲିସ-ଡ୍ରାଇଭର ଧସ୍ତାଧସ୍ତି! ୫୦ରୁ ଅଧିକ ଗିରଫ

ରାଜଧାନୀ ଭୁବନେଶ୍ବରରେ ଅନଲାଇନ୍ ଚାଳକ ମିଳିତ ମଞ୍ଚର ଆନ୍ଦୋଳନ ବେଳେ ଖଣ୍ଡଯୁଦ୍ଧ ସ୍ଥିତି ଉପୁଜିଛି । ଆଜି (ବୁଧବାର) ଓଲା, ଉବେର ଓ ରାପିଡୋ ଅନଲାଇନ୍ ଟାକ୍ସି ଚାଳକଙ୍କ ଆନ୍ଦୋଳନରେ ରାଜଧାନୀର ମୁଖ୍ୟ ରାସ୍ତା ପ୍ରାୟତଃ ଅଚଳ ହୋଇପଡିଥିଲା । ଆନ୍ଦୋଳନର ତୃତୀୟ ଦିନରେ ଅନଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭରଙ୍କ ଧାରଣା ବେଳେ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ସମସ୍ତ ଚାଳକ ଏକାଠି ହୋଇଥିଲେ । ଏପରିକି ମୁଖ୍ୟ ରାସ୍ତାରେ ଗାଡ଼ି ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ସେମାନଙ୍କୁ ବୁଝାଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଶୁଣିନଥିଲେ । ପରେ ସ୍ଥିତି ଭୟଙ୍କର ହୋଇଥିଲା । ପୋଲିସ ଫୋର୍ସ ଓ ଆନ୍ଦୋଳନକାରୀମାନେ ମୁହାଁମୁହିଁ ହୋଇଥିଲେ। ତେବେ ଅନଲାଇନ୍ ଟାକ୍ସି ଚାଳକଙ୍କ ଆନ୍ଦୋଳନ ବେଳେ ଉପୁଜିଥିବା ଉତ୍ତେଜନା ଓ ହିଂସାକାଣ୍ଡ ଘଟଣାରେ ବଡ଼ ଆକ୍ସନ୍ ନେଇଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ୫୦ରୁ ଅଧିକ ଓଲା, ଉବେର ଓ ରାପିଡୋ ଚାଳକଙ୍କୁ ଗିରଫ କରାଯାଇଛି। ଆନ୍ଦୋଳନ ସମୟରେ ପୋଲିସ ଉପରକୁ ଢେଲାପଥର ମାଡ଼ ସହ ବସ୍ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ରହିଛି।ଆନ୍ଦୋଳନକାରୀଙ୍କ ଭଙ୍ଗାରୁଜାରେ ୧୪ଟି ‘ଆମ ବସ୍’ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀ ମାନେ କହଛନ୍ତି,”ସରକାରଙ୍କୁ ଆମେ 3 ଦିନ ସମୟ ଦେଇଥିଲୁ । ହେଲେ ଆମର ଦାବିକୁ ପୂରଣ କରିବା ପାଇଁ କୌଣସି ହସ୍ତକ୍ଷେପ କରିନାହାନ୍ତି । ତେଣୁ ଆମେ ରାସ୍ତାରେ ଅଟୋ ଗାଡି ରଖି ଆନ୍ଦୋଳନ କରୁଛୁ । ଆମେ କୌଣସି ଯାତ୍ରୀଙ୍କୁ କି ଅନ୍ୟ ଚାଳକଙ୍କୁ ଅସୁବିଧାରେ ପକାଇବାକୁ ଚାହୁଁନାହିଁ । ଆମର ଦାବିକୁ ତୁରନ୍ତ ସରକାର ଶୁଣନ୍ତୁ ।”