ଓଡ଼ିଶାରେ ସକ୍ରିୟ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଓଡ଼ିଶାରେ ସକ୍ରିୟ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଉପକୂଳ ସହ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛୁଇଁଛି ମୌସୁମୀ ବାୟୁ । ବର୍ତ୍ତମାନ ଏହା ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଗତି କରୁଛି । ଆଗାମୀ ୪-୫ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟ୍‌କା ପବନ ବହିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ବର୍ତ୍ତମାନ ସୁଦ୍ଧା ଦେଶରେ ଜୁନ୍‌ ମାସରେ ୩୨% ବର୍ଷା କମ୍‌ ରହିଛି । ଓଡ଼ିଶାରେ ଜୁନ୍‌ ୧୫ ସୁଦ୍ଧା ହାରାହାରି ୭୪.୬ ମିଲିମିଟର ବର୍ଷା ହେବା କଥା । ହୋଇଛି ୪୪.୬ ମିମି । ଅର୍ଥାତ୍‌ ରାଜ୍ୟରେ ୪୦% ବର୍ଷା ନିଅଣ୍ଟିଆ ରହିଛି । ଏଭଳି ସ୍ଥିତିରେ ଚଳିତବର୍ଷ ଚାଷକୁ ନେଇ ଚିନ୍ତା ବଢ଼ିଲାଣି । ରଜ ପରେ ଚାଷ କାମ ଆଗେଇଥାଏ । ମାତ୍ର ବର୍ଷା ନିଅଣ୍ଟିଆ ହେଲେ ଚାଷକୁ ସମସ୍ୟା ହୋଇପାରେ । ଚଳିତବର୍ଷ ଏଲ୍‌-ନିନୋ ପ୍ରଭାବରେ ମୌସୁମୀ ବର୍ଷା ଅନିୟମିତ ହେବା ଆଶଙ୍କା ରହିଛି । ଏମିତିରେ ଜୁନ୍‌ରେ ବର୍ଷା ନିଅଣ୍ଟିଆ ସ୍ଥିତିରେ ସୁଧାର ନ ଆସିଲେ ଧାନ ଫସଲକୁ ବେଶି ଅଡ଼ୁଆ ହୋଇପାରେ । ଆଗାମୀ ୪-୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ, ମହାରାଷ୍ଟ୍ର, କର୍ଣ୍ଣାଟକର ଅବଶିଷ୍ଟ ଅଂଶ, ତେଲେଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ବିହାର ଏବଂ ଛତିଶଗଡ଼ର କିଛି ଅଂଶକୁ ଆହୁରି ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।ଆଜି (ମଙ୍ଗଳବାର) ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ରେ ବର୍ଷା ସହ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହପରି ପବନର ଘଣ୍ଟାପ୍ରତି ବେଗ 40-50 କିମି ରହିବ । ଏହି 10 ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।