ଓଡ଼ିଶା ପ୍ରସିଦ୍ଧ ଗଣିଆ ଲଙ୍କାପୋଡ଼ି ଯାତ୍ରା ସୀତା ଠାବ ନାଟକ ଦର୍ଶକଙ୍କ ମନ ମୋହିଲା
ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆ ଲଙ୍କାପୋଡ଼ି ଯାତ୍ରାର ବୁଧବାର ଅଷ୍ଟମ ଦିବସରେ ସୀତାଠାବ ଶୀର୍ଷକ ନାଟକ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ପରିବେଷିତ ହୋଇଯାଇଛି । କିସ୍କିନ୍ଧ୍ୟା ରାଜା ସୁଗ୍ରୀବ ବିଳାସ ବ୍ୟସନରେ ମାତି ରୁଷ୍ୟମୁକ ପର୍ବତରେ ଅବସ୍ଥାନ କରିୁଥିବା ଶ୍ରୀରାମ ଓ ଲକ୍ଷ୍ମଣଙ୍କ କଥା ସଂପୁର୍ଣ୍ଣ ଭୁଲି ଯାଇଥାନ୍ତି । ବର୍ଷରୁତୁର ସମାପ୍ତି ପରେ ଶ୍ରୀରାମଙ୍କ ସନ୍ଦେସ ନେଇ ଲକ୍ଷ୍ମଣ ସୁଗ୍ରୀବଙ୍କ ପାଖକୁ କିସ୍କିନ୍ଧ୍ୟା ରାଜ ନଅରକୁ ଯାଇଥିଲେ । କିନ୍ତୁ ସୁଗ୍ରୀବ ଲକ୍ଷ୍ମଣଙ୍କୁ ଚିହ୍ନି ପାରନ୍ତି ନାହିଁ । ଏଣୁ ଲକ୍ଷ୍ମଣ କ୍ଷୁବ୍ଧ ହୋଇ ରାଜନଅରରୁ ଫେରିଆସି ସିଂହଦ୍ୱାର ନିକଟରେ ସୁଗ୍ରୀବଙ୍କ ସିଂହାସନକୁ ବାଣ ନିକ୍ଷେପ କରନ୍ତ୍ି । ଫଳରେ ସୁଗ୍ରୀବ ସିଂହାସନରୁ ତଳେ ପଡ଼ିଯାନ୍ତି । ଏହି ସମୟରେ ପାଟରାଣୀ ତାରା ସୁଗ୍ରୀବଙ୍କୁ ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କୁ ଦେଇଥିବା କଥା ମନେପକାଇ ଦିଅନ୍ତି । ଫଳରେ ସୁଗ୍ରୀବ ଅନୁତପ୍ତ ହୋଇ ଆସି ଶ୍ରୀରାମଙ୍କୁ କ୍ଷମା ମାଗନ୍ତି । ପରେ ପୂର୍ବ ଯୋଜନା ଅନୁସାରେ ନିଜର ସମସ୍ତ ସେନାକୁ ଚାରି ଦିଗରେ ସୀତାଙ୍କୁ ଠାବ ଅନ୍ୱେଷଣରେ ପ୍ରେରିତ କରନ୍ତି । ଲଙ୍କାର ରାବଣ ସୀତାଙ୍କ ପୁଷ୍ପକ ବିମାନରେ ଦକ୍ଷିଣ ଦିଗରେ ନେଇଥିବାର ନିଶ୍ଚତ ହୋଇ ସୁଗ୍ରୀବ ନିଜର ଅଷ୍ଟସେନାଙ୍କୁ ଦକ୍ଷିଣ ଦିଗରେ ପ୍ରେରିତ କରନ୍ତି । ଯୁବରାଜ ଅଙ୍ଗଦଙ୍କ ନେତୃତ୍ୱରେ ଜାମ୍ବବାନ, ସୁଶେଣ, ହନୁମାନ. ନଳ, ନୀଳ, ଗବାକ୍ଷ, ଓ ଗବୟ ବେଲବନରେ ପ୍ରବେଶ କରିଥିଲେ । ଏହାପରେ ସେମାନେ ସମୁଦ୍ରକୁଳରେ ଜଟାୟୁର ଭାଇ ସଂପାତିକୁ ଭେଟିଥିଲେ । ପୂର୍ବରୁ ସୂର୍ଯ୍ୟଦେବଙ୍କୁ ଆକ୍ରମଣ କରି ସଂପାତିର ଡେଣା ଓ ପର ସବୁ ପୋଡ଼ି ଯାଇଥିଲା ତଥାପି ସେ ଅଷ୍ଟସେନାଙ୍କୁ ଦେଖି ସେମାନଙ୍କୁ ଭକ୍ଷଣ କରିବା ନିମନ୍ତେ ଚେଷ୍ଟା କରିଥିଲା । ଏହା ଦେଖି ଅଷ୍ଟସେନା ଜୟ ଶ୍ରୀରାମ କହି ଶ୍ରରୀରାମଙ୍କର ଜୟଜୟକାର କରିଥିଲେ । ଏହି ଜୟଧ୍ୱନୀର ପ୍ରଭାବରେ ଅତି ଅଲୌକିକଭାବରେ ସଂପାତିର ପର ଓ ଡେଣା କିଛି ମାତ୍ରରେ କଅଁଳିବାକୁ ଲାଗିଲା । ଫଳରେ ସଂପାତିର ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଓ ଆନୁଗତ୍ୟରେ ମୁଣ୍ଡ ନଇଁଗଲା । ଶ୍ରୀରାମଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇବା ସହିତ ଅଷ୍ଟସେନାଙ୍କୁ ନିଜର ଡେଣାରେ ବସାଇ ସଂପୁର୍ଣ୍ଣ ଲଙ୍କା ନଗରୀକୁ ପରିଦର୍ଶନ କରାଇ ପୁନଶ୍ଚ ସମୁଦ୍ର କୁଳକୁ ଫେରି ଆସିଥିଲା । ଏସବୁ ପରେ ଅଷ୍ଟସେନାଙ୍କ ମଧ୍ୟରେ ଭାଳେଣୀ ପଡ଼ିଲା ଯେ କୀଏ ସମୁଦ୍ର ପାରହୋଇ ଲଙ୍କାକୁ ଯାଇ ସୀତାଙ୍କୁ ଠାବ କରି ପୁଣି ଫେରିପାରିବ । ଅଷ୍ଟସେନାଙ୍କ ମଧ୍ୟରୁ ହନୁମାନଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଅସମର୍ଥ ବୋଲି କହିଲେ । ଶେଷରେ ହନୁମାନ ଜୟ ଶ୍ରୀରାମ କହି ଲଙ୍କା ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସମୁଦ୍ର ପାର ହେବା ସମୟରେ ହନୁମାନଙ୍କର ଛାଇ ଦେଖି ରାକ୍ଷସୀ ସିଂହୀକା ହନୁମାନଙ୍କର ବାଟ ଓଗାଳିବାରୁ ହନୁମାନ ତାକୁ ବଧ କରିଥିଲେ । ପରେ ଲଙ୍କା ନଗରୀର ଦୁର୍ଭେଦ୍ୟ ପାଚେରୀ କିପରି ଭେଦକରି ଭିତରକୁ ଯିବେ ବିଚାରୀ ଶେଷରେ ହନୁମାନ ଗୋରୁପଲ ମଧ୍ୟରେ ନିଜର କ୍ଷୁଦ୍ର ରୁପ ଧାରଣ କରି ଲଙ୍କା ନଗରୀରେ ପ୍ରବେଶ କଲେ । ରାତ୍ରୀରେ ଲଙ୍କା ନଗରୀରେ ହନୁମାନଙ୍କୁ ଦେଖି ଲଙ୍କଦେବୀ ତାଙ୍କର ବାଟ ଓଗାଳିବାରୁ ହନୁମାନ ଏକ ଶକ୍ତ ଚାପୁଡ଼ା ଦେଇଥିଲେ । ଚାପୁଡ଼ା ଖାଇବା ପରେ ଲଙ୍କଦେବୀଙ୍କର ମନେପଡ଼ିଯାଏ କୌଣସି ବିଷ୍ଣୁଭକ୍ତ ମାଙ୍କଡ଼ ହାତରୁ ଚାପୁଡ଼ା ଖାଇବା ପରେ ଲଙ୍କାର ପତନ ଆରମ୍ଭ ହେବ ବୋଲି । ଏହି ସନ୍ଦେଶ ଲଙ୍କାର ରାଜା ରାବଣଙ୍କୁ ଜଣାଇ ଦେଇ ଲଙ୍କଦେବୀ ଲଙ୍କା ନଗରୀ ପରିତ୍ୟାଗ କରିଥିଲେ । ଏପଟେ ହନୁମାନ ସୀତାଙ୍କୁ ଲଙ୍କା ନଗରୀ ମଧ୍ୟରେ ଏଣେତେଣେ ଖୋଜିଖୋଜି କରି ଅଶୋକ ବନରେ ପହଂଚନ୍ତି । ସୀତାଙ୍କଠାରୁ ଅଳ୍ପ ଦୁରରେ ରହି ରାମଙ୍କର ଗୁଣ ଗାନ କରନ୍ତି ହନୁମାନ । କିନ୍ତୁ ଏହା ରାକ୍ଷସଙ୍କ ମାୟା ଭାବି ସୀତା ଅଭିଷାପ ଦେବାକୁ ଧମକ ଦିଅନ୍ତି । ଏହି ସମୟରେ ହନୁମାନ ସୀତାଙ୍କ ସମ୍ମୁଖକୁ ଆସି ପ୍ରଣିପାତ କରି ଶ୍ରୀରାମଙ୍କ ସଂକେତ ସ୍ୱରୂପ ଶ୍ରୀରାମଙ୍କ ହସ୍ତ ମୁଦ୍ରିକା ପ୍ରଦାନ କରନ୍ତି । ଏଥି ସହିତ ସୀତାଦେବୀଙ୍କୁ ଶ୍ରୀରାମଙ୍କ ସଂପର୍କରେ ସମସ୍ତ ବୃତାନ୍ତ ବ୍ୟାଖ୍ୟା କରନ୍ତି । ସୀତାଠାବ କରିଥିବା ପ୍ରମାଣ ସ୍ୱରୂପ ସୀତାଦେବୀଙ୍କ ମଥାମଣୀକୁ ଶ୍ରୀରାମଙ୍କୁ ଦେବାକୁ ଆଣନ୍ତି । ଏହାପରେ ସୁସ୍ୱାଦୁ ଫଳରେ ଭରପୁର ମଧୁବନକୁ ଦେଖି ହନୁମାନ ନିଜର କ୍ଷୁଧା ନିବାରଣ କରିବା ସହିତ ସୀତାଠାବ କରିଥିବା ଖୁସୀରେ ଆତ୍ମହରା ହୋଇ ଅଶୋକବନକୁ ଧ୍ୱସ୍ତବିଧ୍ୱସ୍ତ କରନ୍ତି । ରାବଣ କନିଷ୍ଠପୁତ୍ର ଅକ୍ଷୟକୁମାର ଏହାର ବିରୋଧ କରିବାରୁ ହନୁମାନ ତାକୁ ୨ଫାଳ କରି ଚିରି ହତ୍ୟା କରିଥିଲେ । ପୁନଶ୍ଚ ରାବଣର ବୀରପୁତ୍ର ଇନ୍ଦ୍ରଜିତ ଆସି ହନୁମାନଙ୍କ ଉପରକୁ ନାଗଫାସ ବାଣ ନିକ୍ଷେପ କରି ବନ୍ଦୀକରି ରାବଣର ରାଜସଭାକୁ ନେଇଯାଇଥିଲେ । ସେଠାରେ ହନୁମାନଙ୍କୁ ରାବଣ ଦଣ୍ଡ ସ୍ୱରୂପ ତାଙ୍କ ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରି ଛାଡ଼ିଦେଇଥିଲେ । ଉକ୍ତ ଅଗ୍ନିରେ ହନୁମାନ ବୁଲିବୁଲି ସମସ୍ତ ଲଙ୍କା ନଗରୀକୁ ଅଗ୍ନିରେ ପୋଡ଼ି ଛାରଖାର କରିଦେଇଥିଲେ । ପରେ ବ୍ରହ୍ମାଙ୍କ ଆଦେଶରେ ହନୁମାନ ସମୁଦ୍ରରେ ଅଗ୍ନିକୁ ଶାନ୍ତ କରି ଶ୍ରୀରାମଙ୍କ ନିକଟକୁ ଫେରିଆସିଥିଲେ । ରାମଲୀଳା ପରିଷଦ କଳାକାରମାନଙ୍କ ଦ୍ୱାରା ପରିବେଷିତ ଏହି ନାଟକ ଦେଖିବାପାଇଁ ଶହଶହ ଲୋକଙ୍କ ସମାଗମ ହୋଇଥିଲା ।