କଟକ ଆଜି ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ
ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ଛୁଟି ଶନିବାର ବାତିଲ କରିଛନ୍ତି।ଏଥିରେ ଖିଲାପ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । କଟକ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।ପ୍ରବଳରୁ ଅତି ପ୍ରବଳ ବର୍ଷା ହେଲେ କଟକ ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବ। ଏଥିସହ ଜିଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବର୍ଷାବିତ୍ପାତଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିବା ନିହାତି ଆବଶ୍ୟକ। ସେଥିପାଇଁ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଜିଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ମୁଖ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।