ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା, ସର୍ବସାଧାରଣ ଦର୍ଶନ ବନ୍ଦ

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ଶ୍ରୀମନ୍ଦିରରେ ପ୍ରତିପଦା ତିଥିରେ ହେବ ଉଭାଯାତ୍ରା । ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ରଥଯାତ୍ରା ପ୍ରସ୍ତୁତି ଏବଂ ନୀତି ବହୁଳତା ଯୋଗୁଁ ସର୍ବସାଧାରଣ ଦର୍ଶନ ଆଜି ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି ।ନୀତିକାନ୍ତି ତ୍ୱରାନ୍ୱିତ କରିବାକୁ ତଥା ପରଦିନ ସଅଳ ପହଣ୍ଡି କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ତେବେ ଆଜି ସକାଳ ୭ ଟା ସୁଦ୍ଧା ବନକ ଲାଗି ଶେଷ କରିବା ସହ ୭ ଟା ୩୦ ସୁଦ୍ଧା ମଙ୍ଗଳ ଆଳତୀ,୧୧ ଟା ସୁଦ୍ଧା ଗୋପାଳ ବଲ୍ଲଭ ଓ ସକାଳ ଧୂପ ଶେଷ ନୀତି,୧୧ ଟା ୩୦ ରେ ରଥ ଆଜ୍ଞାମାଳ ବିଜେ ନୀତି ହେବାକୁ ନିର୍ଘଣ୍ଟ ହେଉଛି। ସେହିପରି ୯ ଟା ସୁଦ୍ଧା ବଡ଼ସିଂହାର,୯ ଟା ୩୦ ସୁଦ୍ଧା ପହୁଡ ଆଳତୀ ହୋଇ ରାତି ୧୦ ଟା ୪୫ ରେ ବାହୁଟ କଣ୍ଟ ଓ ରାତି ୧୧ ଟା ରୁ ଆସନ୍ତାକାଲି ଭୋର୍ ୫ ଟା ପର୍ଯ୍ୟନ୍ତ ସେନାପଟା ଲାଗି ହେବାକୁ ନିର୍ଘଣ୍ଟ ହୋଇଛି ।