କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ -୨୦୩୬ ଆୟୋଜନ ନେଇ ଭାରତ ସମେତ ୭ଟି ଦେଶ
କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ -୨୦୩୬ ଆୟୋଜନ ନେଇ ଭାରତ ସମେତ ୭ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଉକ୍ତ କ୍ରୀଡ଼ା ମହାକୁମ୍ଭ ଆୟୋଜନ ନେଇ ଦାବିଦାର ହାସଲ କରିଥିବା ଦେଶ ମାନଙ୍କ ତାଲିକା ଅନ୍ତର୍ଜାତୀୟ ଅଲିମ୍ପିକସ କମିଟି ପ୍ରକାଶ କରିଛି। ୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ୭ଟି ଦେଶ ଭାରତ ସମେତ ଜର୍ମାନୀ, ହଙ୍ଗେରୀ, କାତାର, ରିପବ୍ଲିକ ଅଫ କୋରିଆ, ଦକ୍ଷିଣ ଆଫ୍ରିକା ଓ ତୁର୍କୀ ରହିଛନ୍ତି। ଆୟୋଜନ ପାଇଁ ଦାବିଦାର ଦାଖଲ କରିଥିବା ୭ ଦେଶଙ୍କ ନାମକୁ ଆଇଓସି କାର୍ଯ୍ୟନିର୍ବାହୀ ପରିଷଦ ଗ୍ରହଣ କରିଛି। ଆସନ୍ତା ମାସରେ ଏହି ଦେଶଗୁଡ଼ିକୁ ଆଇଓସିର ‘ଫ୍ୟୁଚର ହୋଷ୍ଟ କମିଶନ’ ସାମ୍ନାରେ ନିଜ ଗେମ୍ସ ପ୍ରୋଜେକ୍ଟ ଉପସ୍ଥାପନ କରିବାକୁ ଆମନ୍ତ୍ରଣ କରାଯାଇଛି ।୨୦୩୬ ଅଲିମ୍ପିକ୍ସ ପାଇଁ ଭାରତ ଅହମଦାବାଦକୁ ପ୍ରସ୍ତାବିତ ହୋଷ୍ଟ ସିଟି ଭାବେ ଚୟନ କରିଛି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏବଂ ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷା ପି.ଟି. ଉଷା ‘ରାଇଜିଂ ଟୁଗେଦର’ ଭିଜନ ଉପରେ ଭାରତର ଦାବି ଆଧାରିତ ହେବ ବୋଲି କହିଛନ୍ତି ।ଆଇଓସି ପକ୍ଷରୁ କୁହାଯାଇଛି ଯେ, ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ, ଭେନ୍ୟୁ ମାଷ୍ଟରପ୍ଳାନ, ଆଥ୍ଲେଟ୍ ଅଭିଜ୍ଞତ, ପାାଣ୍ଠି ରଣନୀତି, ରାଜନୈତିକ ଓ ସାଧାରଣ ସମର୍ଥନ, ଖେଳ ବିତରଣ କ୍ଷମତା ଏବଂ ଆୟୋଜକ ଦେଶ ପାଇଁ ଏହା ଯେପରି ଦୀର୍ଘ ମିଆଦି ଲାଭଜନକ ହେବ ସେଥିପାଇଁ ଉପଯୁକ୍ତ ରଣନୀତି ଭିତ୍ତିରେ କରାଯିବ। ଆୟୋଜକ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଦେଶ ଗୁଡ଼ିକ ବର୍ତ୍ତମାନ ନିୟମିତ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସହ ଯୋଗାଯୋଗରେ ଅଛନ୍ତି। ଅଲିମ୍ପିକ୍ସ ପାଇଁ ଚଳିତ ଅକ୍ଟୋବର ୩୧ ପରେ କୌଣସି ଦେଶ ଆଗ୍ରହ ପ୍ରକାଶ କଲେ ତାହା ଆଉ ବିଚାରକୁ ନିଆଯିବ ନାହିଁ। ଆସନ୍ତା ୨୦୨୭ ଜୁନରେ ଲାଇସାନେରେ ହେବାକୁ ଥିବା ଆଇଓସିର ୧୪୬ତମ ଅଧିବେଶନରେ ଚୂଡାନ୍ତ ଆୟୋଜନ ଦେଶ ନାମ ଘୋଷଣା କରାଯିବ।