ଗଣିଆରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସଫଳ: ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ


​ଗଣିଆ:(ବିଶ୍ୱରଂଜନ ସେଠି ) ସ୍ଥାନୀୟ ସମସ୍ୟାର ସମାଧାନ, ଅଞ୍ଚଳର ବିକାଶ ଏବଂ ଜନସ୍ୱାର୍ଥବିରୋଧୀ ନୀତି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ‘ଗଣିଆ ବନ୍ଦ’ ଡାକରା ପୂର୍ଣ୍ଣ ସଫଳ ହୋଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିବା ଏହି ହଡ଼ତାଳ ଯୋଗୁଁ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରା ସମ୍ପୂର୍ଣ୍ଣ ସ୍ଥାଣୁ ହୋଇପଡ଼ିଥିଲା।
କଂଗ୍ରେସ କର୍ମୀମାନେ ସକାଳୁ ଗଣିଆ ବଜ଼ାରର ମୁଖ୍ୟ ଛକ ଓ ରାସ୍ତାଘାଟରେ ପିକେଟିଂ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଗଣିଆ ମୁଖ୍ୟ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ରାସ୍ତାରେ ଯାତ୍ରୀବାହୀ ବସ୍‌, ଅଟୋ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯିବାରୁ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।


କଂଗ୍ରେସର ଗଣିଆ ବ୍ଲକ ସଭାପତି ହଲିମ ଖାଁଙ୍କ ସଭାପତିତ୍ୱରେ ବରିଷ୍ଠ ନେତା ସୁକାନ୍ତ ଶତପଥୀ, ପ୍ରଦୀପ୍ତ ମହାପାତ୍ର ଓ କର୍ମୀମାନେ ପ୍ଲାକାର୍ଡ ଧରି ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଦାବିଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଦାବି କରିଥିଲେ। ବନ୍ଦ ଅବସରରେ ଜରୁରୀକାଳୀନ ସେବା, ଯେପରିକି ଆମ୍ବୁଲାନ୍ସ, ଔଷଧ ଦୋକାନ ଓ କ୍ଷୀର ଗାଡ଼ିକୁ କୋହଳ କରାଯାଇଥିଲା।
​ସୁରକ୍ଷା ଦୃଷ୍ଟିରୁ ଗଣିଆ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ନଘଟି ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଜଣାପଡ଼ିଛି।