ଗଣିଆରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଶିଶୁ ମହୋତ୍ସବ ଉଦଯାପିତ: ୨୫୬ ଜଣ ଛାତ୍ରଛାତ୍ରୀଙ୍କ ଭାଗଗ୍ରହଣ
ଗଣିଆ (ବିଶ୍ୱରଂଜନ ସେଠି ):ଗଣିଆ ବ୍ଲକ ସ୍ଥିତ ଜଗନ୍ନାଥପ୍ରସାଦ ପ୍ରଗଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଶିଶୁ ମହୋତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଡ଼କଟା ପଞ୍ଚାୟତର ସରପଞ୍ଚ ସୁବାସିନୀ ବାରିକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମହୋତ୍ସବର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଏବିଓ ବିନୋଦିନୀ ପଣ୍ଡା ଯୋଗଦେଇ କୋମଳମତି ଛାତ୍ରଛାତ୍ରୀଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ଆଦର୍ଶ ବିଦ୍ୟାଳୟର ସହକାରୀ ଶିକ୍ଷକ ରଞ୍ଜନ କୁମାର ସାହୁ ଏବଂ ଆଲୁମିନି ସଭ୍ୟ ଆନନ୍ଦ ଚନ୍ଦ୍ର ଡାକୁଆ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ (CRCC) ପ୍ରସନ୍ନ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ବାମନ ଚରଣ ବାରିକ ଅତ୍ୟନ୍ତ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ।ଏହି ସୁରଭି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅଧୀନସ୍ଥ ୩ ଗୋଟି ପ୍ରାଥମିକ ବିଦ୍ୟାଳୟ, ୪ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୨ ଗୋଟି ଉଚ୍ଚ ବିଦ୍ୟାଳୟର ସମୁଦାୟ ୨୫୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ଚିତ୍ରକଳା, ଶୃତଲିଖନ, ଶିଳ୍ପକଳା, ଓଡ଼ିଆ ହସ୍ତାକ୍ଷର, ବକ୍ତୃତା ଓ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ବ୍ଲକ ସ୍ତରୀୟ ‘ସୁରଭି’ ଶିଶୁ ମହୋତ୍ସବରେ କ୍ଲଷ୍ଟରର ପ୍ରତିନିଧିତ୍ୱ କରିବେ ବୋଲି ସିଆରସିସି ଶ୍ରୀ ନାୟକ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।