୮୦ ବର୍ଷରେ ନବୀନ ପଟ୍ଟନାୟକ
ଓଡ଼ିଶା ରାଜନୀତିର ଏକ ଦୀର୍ଘ ଅଧ୍ୟାୟ ସହ ଯୋଡ଼ି ହୋଇରହିଛି ନବୀନ ପଟ୍ଟନାୟକଙ୍କ ନାଁ । ଲଗାତାର ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ, ଆଉ ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ବିରୋଧୀ ଦଳ ନେତା ।୧୯୯୭ ଏପ୍ରିଲ୍ ୧୭ ତାରିଖ… ଆରପାରିକୁ ଚାଲିଗଲେ ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ବିଜୁ ପଟ୍ଟନାୟକ । ବିଜୁଙ୍କ ବିୟୋଗରେ ସାରା ଓଡ଼ିଶା ହୋଇଯାଇଥିଲା ସ୍ତବ୍ଧ, ସୃଷ୍ଟି ହୋଇଥିଲା ଶୂନ୍ୟସ୍ଥାନ । ହୁଏତ ସେଦିନ କାହାକୁ ଜଣାନଥିଲା ବିଜୁବାବୁଙ୍କ ମରଶରୀରକୁ କାନ୍ଧ ଦେଉଥିବା ନବୀନ ଦିନେ ନିଜ କାନ୍ଧରେ ବୋହିନେବେ ସାରା ଓଡ଼ିଶାର ଭାର । ସ୍ୱାଧୀନତା ପରେ ରାଜ୍ୟ ରାଜନୀତିରେ ନବୀନ ହେଉଛନ୍ତି ଜଣେ ଏଭଳି ବ୍ୟକ୍ତିତ୍ୱ ଯାହାଙ୍କୁ ବହୁ ବର୍ଷ ପର୍ଯ୍ୟନ୍ତ ଚ୍ୟାଲେଞ୍ଜ ଦେଇପାରିନଥିଲା କୌଣସି ଦଳ। ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଦିନେ ଓଡ଼ିଶାର ରାଜନୀତିରେ ଏତେ ଦୀର୍ଘ ସମୟ ଧରି ନେତୃତ୍ୱ ଦେବେ, ତାହା ତାଙ୍କ ରାଜନୈତିକ ଜୀବନର ଆରମ୍ଭ ସମୟରେ ସହଜରେ ଅନୁମାନ କରାଯାଇ ନଥିଲା । ଲେଖକ ଓ ସଂସ୍କୃତିପ୍ରେମୀ ଭାବେ ପରିଚିତ ନବୀନ ପରବର୍ତ୍ତୀ ସମୟରେ ରାଜ୍ୟର ଶାସନ ଓ ରାଜନୀତିର ଏକ ପ୍ରମୁଖ ଚେହେରା ପାଲଟିଥିଲେ ।ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ୧୯୯୭ ମସିହାରେ ସକ୍ରିୟ ରାଜନୀତିକୁ ଆସିଥିଲେ ନବୀନ ପଟ୍ଟନାୟକ । ଆସିକା ଲୋକସଭା ଉପନିର୍ବାଚନରେ ବିଜୟୀ ହୋଇ ଆରମ୍ଭ କରିଥିଲେ ନିଜ ସଂସଦୀୟ ଯାତ୍ରା । ସେହି ବର୍ଷ ଡିସେମ୍ବରରେ ବିଜୁ ଜନତା ଦଳ ଗଠନ ହେବା ପରେ ଦଳର ନେତୃତ୍ୱ ନେଇଥିଲେ । ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।୨୦୦୦ ମସିହାରେ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ ନବୀନ।୨୦୦୪ରେ ପୁଣିଥରେ ଓଡ଼ିଶାରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ବିଜେଡି । କିନ୍ତୁ ୨୦୦୯ ରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇଥିଲା ଦଳ । ପ୍ରଥମଥର ପାଇଁ ବିଜେପି ହାତ ଛାଡ଼ି ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ନବୀନ ।୨୦୦୦ରୁ ୨୦୨୪ ଲଗାତାର ପାଞ୍ଚଥର ମୁଖ୍ୟମନ୍ତ୍ରୀ ଥିଲେ।