ସ୍ୱର୍ଣ୍ଣିମ ସଫଳତା ପରେ ଭୁବନେଶ୍ୱରରେ ଭାରତୀୟ ହକି ତାରକା

ଭୁବନେଶ୍ୱରରେ ପହଁଚିଲେ ଏସିଆନ ଗେମ୍ସ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଢୋଲ, ବାଜାରେ କମ୍ପୁଛି ଭୁବନେଶ୍ୱର ବିମାନବନ୍ଦର । ପ୍ରଥମେ ମହିଳା ହକି ଦଳ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପରେ ଆସୁଛନ୍ତି ପୁରୁଷ ଦଳ। ପୁରୁଷ ଫାଇନାଲରେ ଭାରତ ମାଲେସିୟାକୁ ୫-୧ ଗୋଲରେ ଏକତରଫା ଭାବେ ପରାସ୍ତ କରି କ୍ରମାଗତ ଭାବେ ସ୍ୱର୍ଣ୍ଣ ପଦକ ବଜାୟ ରଖିଛି । ସେହିପରି ମହିଳା ଦଳ ଚୀନକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ବିଜୟ ସହିତ ଉଭୟ ଦଳ ସିଧାସଳଖ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସିଆନ ଗେମ୍ସ ସ୍ୱର୍ଣ୍ଣ ବିଜୟ ପରେ ଉଭୟ ପୁରୁଷ ଓ ମହିଳା ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୧୧ ଲକ୍ଷ ଲେଖାଏଁ ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ ଙ୍କ ପାଇଁ ₹୫.୫ ଲକ୍ଷ ଲେଖାଏଁ ନଗଦ ପୁରସ୍କାର ଘୋଷଣା କରିଥିଲେ । ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି ।