ମହାଷଷ୍ଠୀରେ ମାଆଙ୍କ ଆବାହନ, ଆଜିଠୁ ଦୁର୍ଗାପୂଜାର ମହାପର୍ବ

ମହାଷଷ୍ଠୀରେ ମାଆଙ୍କ ଆବାହନ, ଆଜିଠୁ ଦୁର୍ଗାପୂଜାର ମହାପର୍ବ । ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମାଆ ଦୁର୍ଗା । ଶଙ୍ଖଧ୍ୱନି, ଘଣ୍ଟଘଣ୍ଟା ଆଉ ମନ୍ତ୍ରୋଚ୍ଚାରଣରେ ମୁଖରିତ ପୂଜାମଣ୍ଡପ । ଚାରିଆଡ଼େ ଉତ୍ସବର ମାହୋଲ୍, ଭକ୍ତଙ୍କ ମନରେ ଅପୂର୍ବ ଉତ୍ସାହ । ଆଜି ପବିତ୍ର ମହାଷଷ୍ଠୀ ।ନବରାତ୍ରିର ଷଷ୍ଠ ଦିନରେ ଆରାଧନା କରାଯାଏ ମା’ ଦୁର୍ଗାଙ୍କ ଷଷ୍ଠ ସ୍ୱରୂପ- ମା’କାତ୍ୟାୟନୀଙ୍କୁ । ସିଂହ ଉପରେ ବିରାଜମାନ… ହାତରେ ଅସ୍ତ୍ର… ମୁଖରେ ତେଜ… ଆଉ ଆଖିରେ ଅନ୍ୟାୟ ବିରୋଧରେ ରଣର ଆହ୍ୱାନ । ପୌରାଣିକ କଥା ଅନୁସାରେ, ମହର୍ଷି କାତ୍ୟାୟନ ଦେବୀଙ୍କୁ ପାଇବା ପାଇଁ କଠୋର ତପସ୍ୟା କରିଥିଲେ । ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଦେବୀ ତାଙ୍କ ଘରେ କନ୍ୟା ରୂପେ ଜନ୍ମ ନେବାର ବର ଦେଇଥିଲେ । ଆଉ ସେହି କନ୍ୟା ହିଁ ପରେ ପରିଚିତ ହେଲେ ମା’ କାତ୍ୟାୟନୀ ନାମରେ । କିନ୍ତୁ ମା’ଙ୍କ ଅବତାର ପଛରେ ଆଉ ଏକ ବଡ଼ କାରଣ ଥିଲା । ଅସୁରଙ୍କ ଅତ୍ୟାଚାରରେ ଯେତେବେଳେ ଦେବତା ଓ ମନୁଷ୍ୟମାନେ ଅତିଷ୍ଠ ହୋଇପଡ଼ିଥିଲେ, ସେତେବେଳେ ଦୁଷ୍ଟ ଶକ୍ତିର ବିନାଶ ପାଇଁ ଦେବୀଙ୍କ ଶକ୍ତିର ଆବଶ୍ୟକତା ହୋଇଥିଲା । ଏହି ଶକ୍ତିର ପ୍ରଚଣ୍ଡ ସ୍ୱରୂପା ହେଉଛନ୍ତି ମା’ କାତ୍ୟାୟନୀ । ମହିଷାସୁରକୁ ବଧ କରିବା ଲାଗି ମା’ କାତ୍ୟାୟନୀ ରୂପ ଧାରଣ କରିଥିଲେ । ଏହା ଦେବୀଙ୍କର ସବୁଠୁ ହିଂସ୍ର ସ୍ୱରୂପ । ଦେବୀ କାତ୍ୟାୟନୀ ଯୁଦ୍ଧପ୍ରବୀଣା । ମା’ ଙ୍କ ଏହି ସ୍ୱରୂପ ଅତ୍ୟନ୍ତ ତେଜମୟୀ । ତାଙ୍କର ଦୁଇ ହାତରେ ଖଣ୍ଡା ଓ ପଦ୍ମ ରହିଥିବା ବେଳେ ଅନ୍ୟ ଦୁଇ ହାତ ଅଭୟ ଓ ବରଦ ମୁଦ୍ରାରେ ରହିଛି ।