ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା,ଦୁଇ ଦିନିଆ ରିମାଣ୍ଡରେ ଅଭିଯୁକ୍ତ
ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇଜଣ ଅଭିଯୁକ୍ତ ଗୁଜୁରାଟର ସରୋଜ ପଣ୍ଡା ଓ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିଛି ଗୋପାଳପୁର ଥାନା ପୁଲିସ । ବ୍ରହ୍ମପୁର ଜେଲ୍ରୁ ସ୍ୱତନ୍ତ୍ର ସୁରକ୍ଷା ଭିତରେ ଅଣାଯାଇ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଥାନାକୁ ଆଣି ଜେରା କରିଛି ପୁଲିସ ।ଆଜି ଅଭିଯୁକ୍ତଙ୍କୁ ନେଇ କରାଯାଇପାରେ ସିନ ରିକ୍ରିଏସନ । ତଦନ୍ତରୁ କିଛି ନୂଆ ତଥ୍ୟ ଖୁଲାସା ହୋଇପାରେ ।ଥାନାରେ ସୁଧୀର ପାତ୍ରକୁ କିପରି ଘଟଣାସ୍ଥଳରୁ ଅପହରଣ କରି ନେଇଥିଲେ। କିପରି ତାଙ୍କୁ ହତ୍ୟା କରାଗଲା, ସେନେଇ ଜେରା କରି ନୂଆ ନୂଆ ତଥ୍ୟ ସଂଗ୍ରହ କରାଯାଉଛି l ସୁଧୀରଙ୍କୁ ଏପ୍ରିଲ ୧୫ ତାରିଖରେ ତାଙ୍କ ଗାଁ ନିକଟ ଭାବି ନାରାୟଣପୁରରୁ ଅପହରଣ କରି ବୁଗୁଡ଼ା ନିକଟ ଜଙ୍ଗଲରେ ହତ୍ୟା କରିଥିଲେ । ପରେ ସୋରଡ଼ା ନିକଟ ଜଙ୍ଗଲରେ ମୃତଦେହ ଫୋପାଡ଼ି ଦେଇଥିଲେ ଅଭିଯୁକ୍ତ l ପରେ ପୋଲିସ ତଦନ୍ତ କରି ସୁଧୀରଙ୍କ ପୁତୁରା ଓ ଝିଆରୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା l ମେ ୨୬ ତାରିଖରେ ପୋଲିସ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରି ଆଣିବା ବେଳେ ସରୋଜ ଓ ରଞ୍ଜନ ବ୍ରହ୍ମପୁର ଉପକଣ୍ଠ ଅଙ୍କୁଶପୁର ନିକଟରେ ପୋଲିସ କବଳରୁ ଖସି ଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଉଭୟଙ୍କୁ ଏନକାଉଣ୍ଟର କରିଥିଲା l ସେମାନେ ସୁସ୍ଥ ହେବା ପରେ ପୋଲିସ ସେମାନ ଙ୍କୁ ଜେଲ ପଠାଇଥିଲା l