ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୯୮ ତମ ସ୍ମୁତି ଉତ୍ସବ ପାଳିତ

କଟକ -୧/୭ )ପଲ୍ଲୀ ଜୀବନର ନିଆରା ରୂପକାର, କବି, ପ୍ରାବନ୍ଧିକ, ଔପନ୍ୟାସିକ ଏବଂ ବହୁ ସନେଟର ରଚୟିତା ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୯୮ ତମ ତିରୋଧାନ ଦିବସରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହିତ, ତାଙ୍କ କାଳଜୟୀ ସୃଷ୍ଟି ସମ୍ଭାର ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ ବୋଲି ମତବ୍ୟକ୍ତ କରିଥିଲେ l
କଟକ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଉତ୍କଳ ସାହିତ୍ୟ ସମାଜ ପ୍ରାଙ୍ଗଣରେ ଆୟୋଜିତ ଏହି ସ୍ମୁତି ଉତ୍ସବରେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ଅଧ୍ୟକ୍ଷତା କରିଥିଲେ l
ମାହାଙ୍ଗା ମାଟିର ଯୋଗଜନ୍ମା ପୁରୁଷ ପଲ୍ଲୀକବିଙ୍କ ସାହିତ୍ୟରେ ପଲ୍ଲୀ ଜୀବନର ସରଳ ତରଳ ମନଲୋଭା ଚିତ୍ର ପ୍ରତିଫଳିତ ହୋଇପାରିଥିବାରୁ ଏହା ବେଶ ଜନାଦୃତ ବୋଲି ଡକ୍ଟର ରାଉତ କହିଥିଲେ l
ଏହି କାର୍ଯ୍ୟକ୍ରମରେ ପଲ୍ଲୀଠାରୁ ଦିଲ୍ଲୀର ସମ୍ପାଦକ ସାମ୍ବାଦିକ ଉମାଶଙ୍କର ସାହୁ, ସାରସ୍ୱତ ସଂଗଠକ ରଣଜିତ ସାହୁ,ସାମ୍ବାଦିକ ଶରତ କୁମାର ମଲ୍ଲିକ,ଚୌଧୁରୀ କାଶୀନାଥ ମଲ୍ଲିକ,ସାହିତ୍ୟିକ ଅଖିଳେଶ ମହାନ୍ତି,ସାହିତ୍ୟିକା ଦୀପା ଦାସ, ନିରଞ୍ଜନ ସିଂ, ରବୀନ୍ଦ୍ର ମହାନ୍ତି, ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକ, ସାମ୍ବାଦିକ ଜିତେନ୍ଦ୍ର ପଣ୍ଡା ପ୍ରମୁଖ କବି ନନ୍ଦକିଶୋରଙ୍କ ସାହିତ୍ୟର ବହୁ ଅନାଲୋଚିତ ଦିଗ ଉପରେ ଆଲୋକପାତ କରିଥିଲେ l
ଓଡ଼ିଆ ବାଣୀ ଭଣ୍ଡାରକୁ ପଲ୍ଲୀ କବିଙ୍କ ଅତୁଳନୀୟ ଅବଦାନ ଏବଂ ଓଡ଼ିଆ ଅସ୍ମିତା ପ୍ରତି ତାଙ୍କର ପ୍ରତିବଦ୍ଧତା ଚିରକାଳ ମନେରହିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l