ରାଜ୍ୟର ସମସ୍ତ ବ୍ରିଜରେ ହେବ ଯାଞ୍ଚ, ୪ ଜୁଲାଇ ସୁଦ୍ଧା ରିପୋର୍ଟ ତଲବ

ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ । ମୁଖ୍ୟ ଶାସନ ସଚିବଙ୍କୁ ଦିଆଯିବ ରିପୋର୍ଟ । ଦେଶର ବିଭିନ୍ନ ସ୍ଥାନରେ ପୁରୁଣା ବ୍ରିଜ୍ ଗୁଡ଼ିକ ଭୁଶୁଡିବା ଘଟଣାକୁ ନେଇ ବଢ଼ୁଥିବା ଚିନ୍ତାରେ ଓଡ଼ିଶା ସରକାର । ରାଜ୍ୟର ସମସ୍ତ ବ୍ରିଜର ଢାଞ୍ଚାଗତ ସୁରକ୍ଷା ଆକଳନକୁ ଗୁରୁତ୍ୱ ଦେଇଛନ୍ତି। ପୂର୍ତ୍ତ ବିଭାଗ ଅଧୀନ ରାସ୍ତା ଓ ଜାତୀୟ ରାଜପଥରେ ଥିବା ସମସ୍ତ କ୍ଷୁଦ୍ର, ମଧ୍ୟମ ଓ ବଡ଼ ବ୍ରିଜର ବର୍ତ୍ତମାନ ସ୍ଥିତି ସମ୍ପର୍କିତ ସମନ୍ୱିତ ରିପୋର୍ଟ ସହ ମରାମତି ଏବଂ ପୁନର୍ନିର୍ମାଣ ଆବଶ୍ୟକ ବ୍ରିଜ୍ ଗୁଡ଼ିକର ବିବରଣୀ ୪ ଜୁଲାଇ ସୁଦ୍ଧା ଦାଖଲ କରିବାକୁ ପୂର୍ତ୍ତ ବିଭାଗ ନିର୍ଦ୍ଦେଶ ଦେଇଛି।ଏହା ଏକ ଉଚ୍ଚସ୍ତରୀୟ ସରକାରୀ ନିର୍ଦ୍ଦେଶ ହୋଇଥିବାରୁ ସୁରକ୍ଷା ପ୍ରୋଟୋକଲ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ସାମାନ୍ୟ ତ୍ରୁଟି ଥିଲେ ତୁରନ୍ତ ମରାମତି ଏବଂ ଗୁରୁତର ସମସ୍ୟା ଥିଲେ ବିଶେଷଜ୍ଞଙ୍କ ଦ୍ୱାରା ତୁରନ୍ତ ଯାଞ୍ଚ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।