ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହେଉଛି ଓଡ଼ିଶା ପୋଲିସର ସର୍ବୋଚ୍ଚ ପ୍ରାଥମିକତା: ଡିଜିପି

ଓଡ଼ିଶାକୁ ସମ୍ପୂର୍ଣ୍ଣ ‘ନିଶାମୁକ୍ତ’ କରିବା ପାଇଁ ରାଜ୍ୟ ପୋଲିସ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି । ଏଥର କେବଳ ଛୋଟ ନିଶା ବେପାରୀ ନୁହେଁ, ବରଂ ନିଶା ସିଣ୍ଡିକେଟ୍‌ର ଟପ୍ ଲେବଲ୍ ଅର୍ଗାନାଇଜର ଏବଂ ଅର୍ଥଦାତାମାନଙ୍କୁ ସିଧାସଳଖ ଟାର୍ଗେଟ୍ କରାଯିବ । ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏହି କଡ଼ା ଚେତାବନୀ ଦେଇଛନ୍ତି ।ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଜାତୀୟ ସ୍ତରୀୟ ପ୍ରାକ-ବିଚାରାଧୀନ ଜବତ ମାଦକଦ୍ରବ୍ୟ ବିନଷ୍ଟୀକରଣ ସ୍ୱତନ୍ତ୍ର ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ନିର୍ଦ୍ଦେଶାନୁଯାୟୀ ୨୬ ଜୁନରୁ ୧୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ National Level Pre-Trial Drug Destruction Special Drive ସାରା ଦେଶରେ କାର୍ଯ୍ୟକାରୀ କରାଯାଉଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କହିଥିଲେ ଯେ, “ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହେଉଛି ଓଡ଼ିଶା ପୋଲିସର ସର୍ବୋଚ୍ଚ ପ୍ରାଥମିକତା। ନିଶା କାରବାର ଓ ଚୋରାଚାଲାଣ ବିରୋଧରେ ଆଗାମୀ ଦିନରେ ଅଭିଯାନକୁ ଆହୁରି ବ୍ୟାପକ କରାଯିବ।”ଡିଜିପି ସୂଚନା ଦେଇଥିଲେ ଯେ, ନିଶା କାରବାର ସମ୍ପର୍କିତ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ବଲପୁରରେ ୪ଟି ସ୍ୱତନ୍ତ୍ର NDPS କୋର୍ଟ ସ୍ଥାପନ କରିବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।

ସେହିପରି, ଜଣେ ଏଡିଜିପି ପାହ୍ୟାର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର Anti Narcotics Task Force (ANTF) ଗଠନ କରାଯିବ । ଏହା ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ।ପ୍ରତିବର୍ଷ ଅତିକମରେ ୧୦୦ ଜଣ ପ୍ରମୁଖ ଡ୍ରଗ୍ ମାଫିଆଙ୍କ ବିରୋଧରେ NDPS ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିଯିବା ବୋଲି ଡିଜିପି ସୂଚନା ଦେଇଥିଲେ । ଏହାବ୍ୟତୀତ  ସମସ୍ତ ଡ୍ରଗ୍ ହଟସ୍ପଟ୍‌ ଗୁଡ଼ିକୁ ଚିହ୍ନଟ କରାଯାଇ ନିଷ୍କ୍ରିୟ କରିବାକୁ ଲକ୍ଷ୍ୟ ରକ୍ଷା ଯାଇଛି ।