କୁଖ୍ୟାତ ଗୋ ମାଫିଆ ତାଜୁଦ୍ଦିନ ଖାନଙ୍କୁ ଆଜୀବନ କାରାଦଣ୍ଡ, ୫ ଲକ୍ଷ ଟଙ୍କା ଜରିମାନା
ଆଠଗଡ଼: ୩୦/୦୬ ( ମାନସ ରଞ୍ଜନ ସାହୁ) ସଂଗଠିତ ଅପରାଧ ମାମଲାରେ କୁଖ୍ୟାତ ଗୋ ମାଫିଆ ତାଜୁଦ୍ଦିନ ଖାନ ଓରଫ୍ ତାଯୁଙ୍କୁ ମାନ୍ୟବର ଆଠଗଡ଼ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ରହିଲେ ତାଙ୍କୁ ଅତିରିକ୍ତ ୩ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି।କଟକ ଜିଲ୍ଲାର ବଡ଼ମ୍ବା ଥାନା ଅଞ୍ଚଳର ବାସିନ୍ଦା ତାଜୁଦ୍ଦିନ ଖାନଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୧୧(୨) ଅନୁଯାୟୀ ସଂଗଠିତ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ପୂର୍ବରୁ ଗୋ ଚାଲାଣ ଅଭିଯୋଗରେ ତାଙ୍କୁ ତିଗିରିଆ ପୋଲିସ୍ ଗିରଫ କରିଥିଲା। ତଦନ୍ତ ଓ ବିଚାର ପ୍ରକ୍ରିୟା ପରେ ମାମଲାରେ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।ସଂଗଠିତ ଅପରାଧ ବିରୋଧରେ ଏହି ରାୟକୁ ଏକ ମାଇଲଖୁଣ୍ଟ ବୋଲି ମନେ କରାଯାଉଛି। ଆଇନର ଶାସନକୁ ସୁଦୃଢ଼ କରିବା ସହ ସଂଗଠିତ ଅପରାଧରେ ଲିପ୍ତ ଅପରାଧୀଙ୍କ ପାଇଁ ଏହା ଏକ କଠୋର ସନ୍ଦେଶ ବୋଲି ଆଲୋଚନା ହେଉଛି।