ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି।  ଆସନ୍ତା ୯ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ କରାଯିବ ଏବଂ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ୧୦ରେ ପ୍ରାର୍ଥୀ ନାମ ପ୍ରତ୍ୟାହାର କରିପାରିବେ ଏବଂ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୪ରେ ‘WHY I STAND FOR’ ସଭା ହେବ ।ଏଥିରେ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ସାମ୍ନାରେ ନିଜର ଲକ୍ଷ୍ୟ ଓ କ୍ୟାମ୍ପସ ପାଇଁ ଯୋଜନା ରଖିବେ । ଅକ୍ଟୋବର ୧୫ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହେବ। ପରେ ଭୋଟ୍ ଗଣତି ଓ ଫଳାଫଳ ଘୋଷଣା କରାଯିବ । ୧୬ରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ହେବ। ଭୋଟର ତାଲିକା, ନାମାଙ୍କନ ପ୍ରକ୍ରିୟା, ମତଦାନ କେନ୍ଦ୍ର, ଭୋଟ୍ ଗଣତି ଏବଂ କ୍ୟାମ୍ପସ ଶୃଙ୍ଖଳା ଉପରେ କର୍ତ୍ତୃପକ୍ଷ ଫୋକସ୍ କରୁଛନ୍ତି । ଶିକ୍ଷାଦାନ ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି ।ନିର୍ବାଚନ ପ୍ରସ୍ତୁତିକୁ ନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।  ନିର୍ବାଚନ ସମୟରେ କ୍ୟାମ୍ପସରେ ହିଂସା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ଉଚ୍ଚଶିକ୍ଷା ସଚିବ ମହାବିଦ୍ୟାଳୟ ଅଧ୍ୟକ୍ଷ, ବିଶ୍ୱବିଦ୍ୟାଳୟର କୁଳସଚିବ ଓ ପିଜି କାଉନସିଲ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିବାକୁ କମିଟି ଗଠନ, ବାଲଟ୍ ପେପର ଓ ବାଲଟ୍ ବକ୍ସ ପ୍ରସ୍ତୁତ ଏବଂ ନିର୍ବାଚନର ସମସ୍ତ ନିୟମାବଳୀ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।