ଡାକ୍ତରଙ୍କ ଆନ୍ଦୋଳନ ଜାରି, ତୃତୀୟ ଦିନରେ ବି ପ୍ରଭାବିତ ସ୍ୱାସ୍ଥ୍ୟସେବା
ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ବେ ଜିଦ୍ରେ ଅଟଳ ଡାକ୍ତର । ତୃତୀୟ ଦିନରେ ବି ଜାରି ରହିଛି ସରକାରୀ ଡାକ୍ତରଙ୍କ ଆନ୍ଦୋଳନ । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୟଙ୍କର ଭାବେ ପ୍ରଭାବିତ ହୋଇଛି ସ୍ବାସ୍ଥ୍ୟସେବା । ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଡାକ୍ତରଙ୍କୁ ଆନ୍ଦୋଳନ ଛାଡ଼ି କାର୍ଯ୍ୟରେ ଯୋଗଦେବାକୁ ଚେତାବନୀ ଦେଇଥିବା ବେଳେ, କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ CDMO, PHOଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ନିର୍ଦ୍ଦେଶନାମା ଅନୁସାରେ, OMHS କ୍ୟାଡରର ଡାକ୍ତର, OMSA ସଦସ୍ୟ ଏବଂ କିଛି ଚୁକ୍ତିଭିତ୍ତିକ ଡାକ୍ତର ୧ ଜୁଲାଇ ୨୦୨୬ ଠାରୁ ସ୍ୱାସ୍ଥ୍ୟସେବା ବର୍ଜନ କରିଛନ୍ତି। ହେଲେ OESMA (Odisha Essential Services Maintenance Act) ଅନୁଯାୟୀ ଏହି ଧର୍ମଘଟ ଆଇନ ବିରୋଧୀ। ଏମିତିରେ କାର୍ଯ୍ୟରେ ଯୋଗ ନଦେବାକୁ ଗୁରୁତର ଅସଦାଚରଣ (Gross Misconduct) ବୋଲି ଧରାଯିବ ଏବଂ ଏହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ, ୧୯୫୯ ଓ OESMAର ଉଲ୍ଲଂଘନ ବୋଲି କୁହାଯାଇଛି।ତେଣୁ କାର୍ଯ୍ୟରେ ଯୋଗ ଦେବାକୁ ଦେବା ସହ ଯେଉଁ OMHS ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି, ସେମାନଙ୍କର ଦରମା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚୁକ୍ତିଭିତ୍ତିକ ଡାକ୍ତରମାନେ ଯଦି ଧର୍ମଘଟରେ ଯୋଗ ଦେଇ କାମରେ ଅନୁପସ୍ଥିତ ରୁହନ୍ତି, ତେବେ ନୋଟିସ ଦେଇ ସେମାନଙ୍କର ଚାକିରି ରଦ୍ଦ କରାଯିବ।ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ଜାରି ରହିଛି ରାଜ୍ୟରେ ଡାକ୍ତର ଆନ୍ଦୋଳନ । ସାରା ରାଜ୍ୟରେ କାର୍ଯ୍ୟବନ୍ଦ କରିଛନ୍ତି ଓମ୍ସା ଡାକ୍ତର । ୧୦ ଦଫା ଦାବି ନେଇ ଡାକ୍ତରମାନେ କାମ ବନ୍ଦ କରିଛନ୍ତି।